ସୁଖଦୁଃଖ ଦୁହେଁ ଯାଆଁଳା ଭାଇ
ସୁଖଦୁଃଖ ଦୁହେଁ ଯାଆଁଳା ଭାଇ
ଜନମୁ ମରଣ ପ୍ରତ୍ୟେକ ଜୀବନେ
ସୁଖଦୁଃଖ ଦୁହେଁ ଯାଆଁଳା ଭାଇ
ଆଖିକୁ ସମାନ ଦିଶଇ କେବଳ
ଭଲ ରୂପେ ଯିଏ ନିରେଖି ଥାଇ ।
ବୁଝି ପାରେ ବୋଲି ଭିତିରି ରହସ୍ୟ
ନ କରେ ବିଭୋର ସୁଖରେ ମନ
ଦୁଃଖ ବେଳେ ମଧ୍ୟ ନହୋଇ କାତର
ମନ ଲଗାମରେ ରଖଇ ଧ୍ୟାନ ।
ସୁଖ ପରେ ଦୁଃଖ ଦୁଃଖ ପରେ ସୁଖ
ଗୋଟିଏ ମୁଦ୍ରାର ଦୁଇଟି ପାଖ
କେବେ କି ଗୋଟିଏ ପୂର୍ଣ୍ଣ ରୂପ ପାଏ
ଛାଡ଼ି ଦେଇ ତା'ର ପାଖ ଆରେକ !
ଉଭୟ ଜନନୀ ପରା ନିଜ କର୍ମ
ଭାଇ ଭାଇ ସମ ଥାଆନ୍ତି ଲାଖି
ଗୋଟିଏକୁ ଛାଡ଼ି ଆନର ମହତ୍ତ୍ଵ
ଜୀବନରେ ବୁଝି ପାରଇ କେ କି !
ଦୁଃଖର ହାତୁଡ଼ି ମାଡ଼ ଖାଇ ଖାଇ
ଲୁହା ସମ ସିନା ବଦଳି କେହି
ନାନା ଯନ୍ତ୍ର ଭଳି ଦିଶି ଚିକିଚିକି
ସୁଖକୁ ହାତରେ ଧରେ ଗୋଟାଇ ।
ହେଲେ କର୍ମହୀନ ସୁଖ ବି ବିଲୀନ
ଜୀବନରେ ଦୁଃଖ ସାଜେ ଭଗାରି
ଦାଉଧକା ମାଡ଼େ ଲାଗେ ଅସହାୟ
ପୀଡ଼ା ଭିତରୁ ନ ହୁଏ ବାହାରି ।
ସତ କର୍ମେ ଧ୍ୟାନ ରିଖି ଆରେ ମନ
ପରିହରି ଯେବେ କର୍ମପାଉଣା
ପାରିଲେ କୋଳେଇ ସୁଖଦୁଃଖ ଦୁଇ
ଜୀବନେ ନଥିବ କିଛି ଯନ୍ତ୍ରଣା ।
