ସୁଖ ମୁଣି
ସୁଖ ମୁଣି
ସମସ୍ତଙ୍କୁ ଲୋଡ଼ା ସମୃଦ୍ଧି ସୁଖ
ଶାନ୍ତି ପ୍ରଶାନ୍ତିର ମୁଖ ମୟୂଖ
ହସ ଗହଳରେ ଖୁସି ମଉଜ
ଦୟା କରୁଣା ବହୁଳେ ମସ୍ତି ଫଉଜ
ସରଳ ସନ୍ତୋଷ ବ୍ୟବହାର
ତ୍ୟାଗ ବଳିଦାନ କର୍ମ ତତ୍ପର
ତେଲ ଲୁଣର ଜୀବନ ଯନ୍ତ୍ରଣାରୁ
ସରନ୍ତା କି ମରନ୍ତା କି
ତାରି ଭତ୍ତାରି ଯାଆନ୍ତା କି
ଦୁଃଖ ଶୋକର ହଳାହଳ କଳା ଜହର ।
ମାଧ୍ୟମ କରନ୍ତି
ବସ୍ତୁରେ ଭୋଗରେ ସଂପଦରେ
କାମନା ବାସନା ବିଳାସ ବ୍ୟସନରେ
ସୁରା ସାକି ନାରୀ ଚମଡ଼ାରେ
କ୍ଷମତା ହାସଲ କରି ଅଣ୍ଡାଳନ୍ତି ସୁଖ ମୁଣି
ଶୂନ୍ୟହସ୍ତରେ ଦିବାସ୍ବପ୍ନ
ଶେଷ ସମୟ ନିଃସଙ୍ଗମୟ ମଣି କରଣି।
କତିପୟ ପ୍ରଜ୍ଞାଶିଳମାନେ
ସୁଖମଞ୍ଜି ବୁଣନ୍ତି ସଂପର୍କ କ୍ଷେତରେ
ଆତ୍ମୀୟତାର ସାର ଖତ ଦେଇ
ସବୁଜ ବିପ୍ଳବ ଆଣନ୍ତି ମନରେ ଭାବନାରେ
ଯାଚି ଯାତି ହାତ ବଢ଼େଇ ଦେଇ
ଦୁଃସ୍ଥ ନିଷ୍ପେଷିତ ଅବହେଳିତ ଜନେ
ସୁଖ ଫସଲ ଖେଳାନ୍ତି କାଟନ୍ତି
ଛୋଟ ମୋଟ ସାହାର୍ଯ୍ୟ ସହାନୁଭିତିରେ
ମାନବତାର ମହାମନ୍ତ୍ରରେ ।
ଆଜି ସଂପଦ ଅଛି କାଲି ନ ଥିବ
କିନ୍ତୁ ସଂପର୍କ କାଳ କାଳକୁ
ଧନରତ୍ନ ପରା ଅଞ୍ଚଳା ଚଞ୍ଚଳା
ଗୋଟିଏ ଢେଉରେ ଭଗ୍ନଥାଳକୁ
ବସ୍ତୁ ପଛରେ ଦଉଡ଼ି ଧାଁ ଧପଡ଼
ସୁଖ ବଦଳରେ କୁହୁଳା ନିଆଁବଡ଼
ସୁଖ ଖୋଜି ଖୋଜି ଆକାଶ କୁସୁମ
କୁହୁଡି ଧୁଆଁରେ ପହଁରି ପହଁରି
କୁହୁଳି ସନ୍ତୁଳି ହେଉଛି ନରାଧମ ।
ନିଦ ଖୋଜେ ନାହିଁ ଦାମିକା ଶେଜ
ଭୋକ ଦେଖେ ନାହିଁ ତୋରାଣୀ ପେଜ
ପଇସା ବୁଣୁଥିବା ବାପାମାନେ
ଶେଷ ବେଳକୁ ଖୋଜନ୍ତି ସୁଖ ମଉଜ
ସ୍ନେହ ପ୍ରେମ ର ଫଳଗୁଧାରା
ଅନ୍ତରରେ ଆନନ୍ଦ ଉଲ୍ଲାସର
ସରଳ ତରଳ ଅନୁଭବ ପସରା ।
ଡାଇନିଙ୍ଗ ଟେବୁଲ ଉପରେ
ସୁସ୍ଵାଦୁ ଖାଦ୍ୟର ଗହଳି ଚହଳି
ପେଟରେ ଭୋକ ନାହିଁ ?
ଏ ପଟେ ପେଟରେ ପ୍ରବଳ ଭୋକ
ମାତ୍ର ଥାଳିରେ ଅନ୍ନ କାହିଁ ?
ବରିଷ୍ଠ ମାନଙ୍କର ଗରିଷ୍ଠ ଉପଦେଶ
ଘନିଷ୍ଠ ମାନଙ୍କର ଯଥେଷ୍ଟ ହିତୋପଦେଶ
ପରିବର୍ତ୍ତିତ ପୃଷ୍ଠଭୂମୀ
କୃତଜ୍ଞ ନାହିଁ କହିଲେ ଚଳେ
କୃତଘ୍ନ ସୂଚୀରେ ସ୍ଥାନିତ ସଭିଏଁ ସକଳେ ।
ହେଲେଣି ବୁଢ଼ାବୁଢ଼ୀ ପିତାମାତା
ଦୁଇଟି ପୁରୁଣା କୋଇଲା ଇଂଜିନ ପରି
ସଂସାର ବଗି କୁ ଟାଣି ଟାଣି
ହାଲିଆ ହେଲେଣି ରୁଗ୍ଣ ବିଧାତା
ତଥାପି ଅପେକ୍ଷା !
ଆହୁରି ଅପେକ୍ଷା !
ପୁଅ-ବୋହୁମାନେ ଆଦର କରିବେ
ଦୁଇ ପଦ ମିଠା କଥାରେ
ମାନ ସମ୍ମାନ ପ୍ରଦାନ କରିବେ
ସେବା ଶୁଶୃସାରେ
ସଂପର୍କ ଆତ୍ମୀୟତାରେ
ସୁଖୀ ପରିବାର ଆରମ୍ଭିବେ :
ହାଏ ରେ ଜୀବନ !
ସୁଖ କାହିଁ ଏଠି ସାତ ସପନ
ହାହାକାର ହାକୁଟି ମାରେ
ପାଇବା ପାଇଁ ମୁଠାଏ ଅନ୍ନ ।