ସୁଦର୍ଶନ
ସୁଦର୍ଶନ


ଆମ୍ଭେ ହରିଜନ ଆମ୍ଭେ ଗିରିଜନ
ଦୁଃଖୀ ସର୍ବେ ବହୁଜନ
ଗଣ ତ ମଉନ ତନ୍ତ୍ର ବି ମଉନ
ଦାରୂଭୂତ ସ୍ୱୟଂ ବ୍ରହ୍ମ ।
ସିଂହ ଦୁଆରରେ କଢା ତ ପ୍ରହରା
ମହାପ୍ରସାଦ ଅବଢ଼ା
ମାଡ଼ିଯାଏ ଢେଉ ଭକତି ଜୁଆର
ଦରଦାମ୍ ଭାରି ଚଢ଼ା
ବିଚାର ଶାସନ ସବୁ ତ ଭେଳିକି
ନାମମାତ୍ର ନିର୍ବାଚନ ।
ଦାରୁ ଭୂତ ସ୍ୱୟଂ ବ୍ରହ୍ମ ।
ବାଡ଼ ଖାଇଯାଏ କ୍ଷେତକୁ ଏଇଠି
ହୁତୁ ହୁତୁ ବାଡବାଗ୍ନି
ଡାକେ ତ୍ରାହି ତ୍ରାହି ନର ପଶୁ ପକ୍ଷୀ
ସ୍ତୁତି କରଇ ମୃଗୁଣୀ
ଘୋର ଭବଜଳେ ଗଜରାଜ ଡାକେ
ଉଦ୍ଧର ହେ ଭଗବାନ ।
ଦାରୁ ଭୂତ ସ୍ୱୟଂ ବ୍ରହ୍ମ ।
ଆସ ଅବତର ଏ ଧରା ଧାମକୁ
ନିବାର କଳି କଳ୍ମଷ
ରୋଗ ଦୁଃଖ କଷ୍ଟେ ଜନେ ପ୍ରପୀଡ଼ିତ
ଦୁର୍ବାର ଦୂରିତ କ୍ଲେଶ
କରାଳ ସ୍ୱରୂପେ ସମୁଦ୍ଭବ କଳ୍କୀ
ପେଷ ଚକ୍ର ସୁଦର୍ଶନ ।
ଦାରୁ ଭୂତ ସ୍ୱୟଂ ବ୍ରହ୍ମ ।