ସୁବର୍ଣ୍ଣ ଆଲୋକ
ସୁବର୍ଣ୍ଣ ଆଲୋକ
ସୁବର୍ଣ୍ଣ ଆଲୋକ ହେଲା ଉପଗତ
ମସ୍ତିଷ୍କରେ ମୋର ଆସି
ଧୂସରିତ କକ୍ଷ ମନେଥିଲା ଯେତେ
ଉଠିଲା ପରା ଝଲସି।
ସତେ ଅବା ପାଇଗଲା ସୌର ସ୍ପର୍ଶ
ହୋଇଗଲା ସୂର୍ଯ୍ୟସ୍ନାତ
ଦୂରେଇ ଗଲା ଯେ ଅମା ଅନ୍ଧକାର
ଚତୁର୍ଦ୍ଦିଗ ଆଲୋକିତ।
ପ୍ରତିକ୍ରିୟାଶୀଳ ହୋଇ ଅତିନ୍ଦ୍ରୀୟ
ଜଗତେ ଦେଲା ଉତ୍ତର
ଅଜ୍ଞାନ ତିମିର ଦୂରେଇ ହେଲା ସେ
ପ୍ରଜ୍ଞାଦୀପ୍ତ ପାରାବାର।
ସୁବର୍ଣ୍ଣ ଆଲୋକ ଯାଇ ପହଞ୍ଚିଲା
ସଧୀରେ ଗଳା ମଧ୍ୟକୁ
କହୁଥିଲି ଯାହା ଦିବ୍ୟ ଭାବ ଭରା
ଅନୁଭବ କଲି ତାକୁ।
ବିଜୟ ସଂଗୀତ ହୋଇଲା ନିର୍ଗତ
ତାଳ, ଲୟ ଗଲି ଭୁଲି
ଶାଶ୍ଵତ ମଦିରା କଲି ପାନ ସୁଖେ
ବନ୍ଦନା ତୁମ ଗାଇଲି।
ଯାଇ ପହଞ୍ଚିଲା ସୁବର୍ଣ୍ଣ ଆଲୋକ
ହୃଦୟ ମନ୍ଦିରେ ମୋର
ଦିବ୍ୟ ଆଘାତ ସହି ହେଲା ଚୂର୍ଣ୍ଣ
ଜୀବନ ଦରଜା ଛାର।
ସୁବର୍ଣ୍ଣ ଆଲୋକ ପହଞ୍ଚିଲା
ପଦ ଦ୍ବୟ ମଧ୍ୟେ ମୋର
ଧରାପୃଷ୍ଠ ହେଲା ତାଙ୍କ କ୍ରୀଡାଙ୍ଗନ
ଆବାସସ୍ଥଳୀ ତାଙ୍କର ।