ସତ୍ୟ ବଚନ
ସତ୍ୟ ବଚନ
ଲିଭିବନି କେବେ ଆଖି ତଳୁ ମୋର
ତୁମରି ଅଭୁଲା ନାମ
ହଜିବନି କେବେ ମୋ ମନରୁ ସଖୀ
ତୁମରି ମଧୁର ପ୍ରେମ I
ଶୁଖିବନି କେବେ ପ୍ରୀତି ନିର୍ଝରିଣୀ
ତୁମ ପ୍ରେମସୁଧା ବାରି
ତମ ପାଇଁ ସଦା ଝଟକୁ ଥିବଲୋ
ମୋ ହୃଦୟ ସ୍ୱପ୍ନପୁରୀ I
ମରିବନି କେବେ ବିଶ୍ୱାସ ମୋହର
ସାଇତା ଯା ହୃଦତଳେ
କ୍ଷୀଣ ହେବ ନାହିଁ ନିଃଶ୍ୱାସର ଗତି
ତୁମ ପାଇଁ ଯାହା ଚାଲେ I
ଭରସା ମୋହର ତୁମଠାରୁ କେବେ
ହୋଇବ ନାହିଁ ଲୋ ଉଣା
ଆଖିତଳେ ପରା ତୁମେ ରହିଅଛ
ହେବି କିଆଁ ବାଟବଣା ?
ଝରିବନି ମୋର ଆଖିରୁ ଲୋତକ
ଉଠିବନି କେବେ କୋହ
ଯେତେଦିନ ଯାଏ ଦେଖୁଥିବି ସଖୀ
ତୁମ ହସ ହସ ମୁହଁ I
ତୁମେ ତ ଦେଉଛ ସ୍ୱର୍ଗସୁଖ ମୋତେ
ଏ ମର ମରତ୍ତ ଧାମେ
ଖୁସି ମନେ ସଦା ଜୀଇଁବି ଲୋ ସଖୀ
ଭିଜି ଭିଜି ତୁମ ପ୍ରେମେ I

