ସତ୍ୟ ଅସତ୍ୟ
ସତ୍ୟ ଅସତ୍ୟ
ସତ୍ୟ ଧର୍ମ ପଥ ହେଉ ଯେତେ କଷ୍ଟ
ଶାନ୍ତି ସୁଖ ହୁଏ ପ୍ରାପ୍ତ ।
ଅସତ୍ୟ ଅଧର୍ମ କର୍ମେ ହେଲେ ଲିପ୍ତ
ପଥ ହୁଏ କଣ୍ଟକିତ ।।
ସତ୍ୟ ସାଥେ ଯାତ୍ରା ମୁକ୍ତ ଅନ୍ନ ଚିନ୍ତା
ଅସତ୍ୟରେ ଅନାହାର ।
ସତ୍ୟରେ ବିଜୟ ସମୟ ସାପେକ୍ଷ
ଫଳ ଅତ୍ୟନ୍ତ ମଧୁର ।।
ଅସତ୍ୟରେ ବିତ୍ତ ବଢଇ ବହୁତ
ଇନ୍ଦ୍ରିୟ ଅଧିନେ ମନ ।
ଗଲାବେଳେ ଯାଏ ଡାଳ ମୂଳ ସହ
ଦୁଃଖେ କଟିଥାଏ ଦିନ ।।
କୂପଥରେ ଗତି ଅତ୍ୟନ୍ତ ସହଜ
ଫଳାଫଳ ନୁହେଁ ଥୟ ।
ଶେଷ ପରିଣତି ଅତି ଭୟଙ୍କର
ଲଭେ ସଦା ପରାଜୟ ।।
ସତ୍ୟବାଦୀ ପିନ୍ଧେ ବିଜୟ ମୁକୁଟ
ଉଡାଇ ବିଜୟ ବାନା ।
ମିଥ୍ୟାବାଦୀ ମନେ ଇର୍ଷା ଅହଙ୍କାର
ଅନ୍ତରରେ ବାନ୍ଧେ ଦାନା ।।
ସତ୍ୟବାଦୀ ଶିର ସଦା ଉପରକୁ
ଅନ୍ତର ତା ଭୟ ଶୂନ୍ୟ ।
ମିଥ୍ୟାବାଦୀ ଚାଲେ ତଳମୁହାଁ ହୋଇ
ସମାଜରେ ହୁଏ ଘୃଣ୍ୟ ।।
ସତ୍ୟ ପଥେ ମିଳେ ଶାଶ୍ୱତ ଆନନ୍ଦ
ଶାନ୍ତି ସୁଖ ଭରି ମନେ ।
ଅସତ୍ୟରେ ଖାଲି ଭୟ ବିଭୀଷିକା
ହୃଦୟ ଭିତରେ ଜନ୍ମେ ।।
ସତ୍ୟ ଅସତ୍ୟର ଲଢେଇ ଭିତରେ
ସତ୍ୟ ଲଭେ ସଦା ଜୟ ।
ମିଥ୍ୟାବାଦୀ ନେଇ ମିଥ୍ୟାର ଆଶ୍ରୟ
ଲଭିଥାଏ ପରାଜୟ ।।