ସତ୍ଯବତୀର ସ୍ୱୟମ୍ବର
ସତ୍ଯବତୀର ସ୍ୱୟମ୍ବର
ହିନ୍ଦୁ ମହା କାବ୍ୟ, ମହାଭାରତର
ହୋଇ ନ ଥାନ୍ତା ଉତ୍ପତ୍ତି
ଆସି ନ ଥିଲେ ସେ, ବାସବୀ, ଦାସେୟୀ
ମତ୍ସ୍ୟଗନ୍ଧା, ସତ୍ୟବତୀ।୧।
ମହାନ ଗ୍ରନ୍ଥର, ମହା ରଚୟିତା
ବ୍ୟାସଦେବଙ୍କର ମାତ
ଉଚ୍ଚ ଅଭିଳାଷ, ଅଦମ୍ୟ ସାହସ
ଦୂର ଦୃଷ୍ଟି ପାଇଁ ଖ୍ୟାତ।୨।
ଚେଦି ବଂଶ ରାଜା, ବସୁଙ୍କ ଔରସେ
ଅଭିଶପ୍ତ ଅପସରା
ଆଦ୍ରିକା ନାମକ, ମତ୍ସ୍ୟକନ୍ୟା ଗର୍ଭୁ
ସତ୍ୟବତୀ ଜନ୍ମ ପରା ।୩।
ଶିଶୁ କନ୍ୟାଟିର, ଦେହରୁ ମତ୍ସ୍ୟ ର
ଗନ୍ଧ ହେବାରୁ ନିର୍ଗତ
ଗ୍ରହଣ କଲେନି, ରାଜା ବସୁ, ନେଲେ
ଦାସରାଜ କଇବର୍ତ୍ତ।୪।
ବୟଃ ପ୍ରାପ୍ତି ପରେ, କୁଳର ବେଉସା
ସତ୍ୟବତୀ ଆଦରିଲେ
ଯମୁନା ଘାଟରେ, ନଉକା ଚଳେଇ
ଯାତ୍ରୀଙ୍କୁ ପାରି କରିଲେ।୫।
ଅନନ୍ୟା ସୁନ୍ଦରୀ, କଇବର୍ତ୍ତ କନ୍ୟା
ଯେବେ ବାହୁ ଥାଏ ତରୀ
କେତେ ମୁନି, ଋଷି, ଚହଲି ଯାଆନ୍ତି
ଆଖି ଆସେ ନାହିଁ ଫେରି।୬।
ଦିନେ ପରାଶର, ନଦୀ ପାର ବେଳେ
ତାଙ୍କ ରୂପେ ହୋଇ ମୁଗ୍ଧ
ସଂଗମ ଲାଳସା, ଚରିତାର୍ଥ ପାଇଁ
ଦୂର କଲେ ମତ୍ସ୍ୟ ଗନ୍ଧ।୭।
କସ୍ତୁରୀ ବାସ୍ନାରେ, ଭରିଲେ ଶରୀର
ଯୋଜନକୁ ଗନ୍ଧ ହୁଏ
ଯୋଜନଗନ୍ଧା ଓ ଗନ୍ଧବତୀ ନାମେ
ମିଳେ ନୂଆ ପରିଚୟ।୮।
ଋଷି ପରାଶର, ଔରସୁ ଜନ୍ମିଲେ
ସେ ମହା ମହୀମ ବ୍ୟାସ
କାଳଯୟୀ କାବ୍ୟ, ରଚନା କରିଲେ
ଦେଶ ବିଦେଶେ ତା ବାସ।୯।
କିଛି ଦିନ ପରେ, ପ୍ରେମରେ ପଡିଲେ
ହସ୍ତିନା ରାଜା ସାନ୍ତନୁ
ଅପୂର୍ବ ସୈ। ନ୍ଧର୍ଯ୍ୟ, କସ୍ତୁରୀ ବାସନା
ଭୁଲି ପାରନ୍ତିନି ମନୁ।୧୦।
ବିବାହ ପ୍ରସ୍ତାବ, ଦାସରାଜ ପାସେ
ଯେବେ ପହଞ୍ଚିଲା ଯାଇ
କହିଲେ ମୋ ସର୍ତ୍ତେ, ରାଜି ହେବ ଯଦି
କନ୍ୟାକୁ ପାରିବି ଦେଇ।୧୧।
ତୁମରି ଔରସୁ, ମୋ କନ୍ୟା ସନ୍ତାନ
ରାଜା ହେବ ତୁମ ଅନ୍ତେ
ସପଥ କରିବ ଯେବେ ମହାରାଜ
ଝୀଅ ଦେବି ତୁମ ହାତେ।୧୨।
ପ୍ରଥମ ସ୍ତୀ ଗଙ୍ଗା , ପୁତ୍ର ଭୀଷ୍ମ ଥାଉ
କେମିତି ବା ହେବେ ରାଜି
ନିରାଶେ ଫେରିଲେ, ଝୁରି ସତ୍ୟବତୀ
ଦେହ ଗଲା ତାଙ୍କ ଭାଜି।୧୩।
ପିତାଙ୍କ ଦୁଃଖର, କାରଣ ଜାଣିକି
ଭୀଷ୍ମ ଯାଇ ଦାସରାଜ
କହିଲେ ତୁମରି, କଥାରେ ମୁଁ ରାଜି
ରାଜି ହୁଅ ତୁମେ ଆଜ।୧୪।
ତାପରେ ହୋଇଲା, ସତ୍ୟବତୀଙ୍କର
ଆଡମ୍ଵରେ ସ୍ଵୟମ୍ବର
ରାଜା ସାନ୍ତନୁଙ୍କ, ଦ୍ଵିତିୟ ପତ୍ନୀ ସେ
ଆସିଲେ ହସ୍ତିନା ପୁର ।୧୫।
ଦେବବ୍ରତ (ଭୀଷ୍ମ) ଙ୍କର, ତ୍ୟାଗର କାହାଣୀ
ବଖାଣେ ଏ ସ୍ଵୟମ୍ବର
ସିଂହାସନ ମୋହ, ତ୍ୟାଗ କରି ଭୀଷ୍ମ
ରହିଲେ ଚିର କୁମାର।୧୬।