ସ୍ତୁତିଗାନ
ସ୍ତୁତିଗାନ
ଜଗତର ନାଥ ଆହେ ଜଗନ୍ନାଥ
ଖୋଲିଦିଅ ତୁମ ଦ୍ବାର
ତୁମ ଦରଶନ କରି ମୋ ନୟନ
ଲଭୁ ଆନନ୍ଦ ଅପାର।
ଆହେ ଲୀଳାମୟ ଲୀଳାରେ ତୁମର
ହୋଇବି ଆତ୍ମ ବିଭୋର
ବାଇଶି ପାହାଚ ଚଢିବି ଆନନ୍ଦେ
ଗାଇ ଜଣାଣ ତୋହର ।
ଗରୁଡ ସ୍ତମ୍ଭକୁ କୁଣ୍ଢାଇ ଦେଖିବି
ଚକା ନୟନ ତୁମର
ବେତମାଡ ଖାଇ ଲଭିବି ଆଶିଷ
ତୁମପ୍ରେମରେ ବିଭୋର ।
ବାର ମାସେ ତେର ପରବେ ତୁମକୁ
ନାନା ବେଶେ ଦରଶନ
ତୁମ ଲୀଳା ଦେଖି ହୋଇବି ତଲ୍ଲୀନ
କରି ତୁମ ସ୍ତୁୁତି ଗାନ ।
କଳ୍ପ ବଟ ଡାଳେ ବାନ୍ଧି କନାଟିଏ
ଶୁଭ ମନାସିବି ମୋର
ବଟ ଗଣେଶଙ୍କୁ କରିବି ଦର୍ଶନ
ଦେଇ ଅର୍ଘ୍ୟ ଭକତିର ।
ରାଧା ପାଦେ ମୁହିଁ କରିବି ପ୍ରଣାମ
ତାଙ୍କ କରୁଣା ଅପାର
ରୋଗ ଶୋକ ଯେତେ ଯିବ ଅପସରି
କରି ଦର୍ଶନ ତାହାର ।
ମାତା ବିମଳାଙ୍କ କରି ଦରଶନ
କୃତ କୃତ୍ୟ ମୁହିଁ ହେବି
ପତିତ ପାବନ ବାନାକୁ ଚାହିଁଣ
ସବୁ ଦୁଃଖ ଭୁଲିଯିବି ।
ମାତା ଲକ୍ଷ୍ମୀଙ୍କର କରିବି ଦର୍ଶନ
ଲଭିବି ତାଙ୍କ କରୁଣା
ବିଶ୍ବ ମହାମାରୀ ଯାଉ ଅପସରି
ହଟାଇ ଅନୁଶୋଚନା ।
ଆନନ୍ଦ ବଜାରେ ଖାଇବି ମଜାରେ
ତୁମର ଅବଢା ଅନ୍ନ
ତୁମରି ପ୍ରସାଦ ମହାପ୍ରସାଦରେ
ହୋଇବି ମୁହିଁ ପ୍ରସନ୍ନ ।
ଆହେ ଚକ୍ରଧାରୀ ସର୍ବ ଦୁଃଖ ହାରୀ
ବର୍ଷିଦିଅ କୃପାବାରି
ସାରା ଜଗତର ଦୁଃଖ ଦୂର କର
ବରଷି ସୁଖର ବାରି ।