STORYMIRROR

Santosh Kumar Misra

Inspirational

3  

Santosh Kumar Misra

Inspirational

ସତେ, ମୁଁ ଅକର୍ମା ମଣିଷଟିଏ

ସତେ, ମୁଁ ଅକର୍ମା ମଣିଷଟିଏ

1 min
30


ଦୁନିଆ ଦାରିକୁ ସମ୍ଭାଳୁ ସମ୍ଭାଳୁ ଜାଣିପାରିଲିନି

କେବେଠାରୁ ମୁଁ ଏକୁଟିଆ ହେଇଗଲି ସଂସାର ଭିତରେ ।

ସାହି, ପଡିଶା, ଭାଇ, ଭଗାରୀ ସବୁରି ଆଖିରେ

କୌଣସି ସର୍କସ୍‌ର ମୁଁ ଜୋକରଟିଏ

ଖୁବ୍‌ ଅଲୋଡା, ଖୁବ୍‌ ଏକଲା ମଣିଷଟିଏ ।

ମୁଁ କାନ୍ଦିଲେ ବି ହସନ୍ତି ସଭିଏଁ, ଆଉ ହସିଲେ କହନ୍ତି ପାଗଳଟାଏ,

ଅଚଳନ୍ତି ଫଟା ଅଧୁଲିଟିଏ, ଅମଣିଷଟିଏ ।


ସଯତ୍ନରେ ନାଚୁ ନାଚୁ ଦୁନିଆ ମଞ୍ଚରେ

କେତେବେଳେ ଯେ ଖସିଗଲା ମୋ ଚେହେରା ଉପରୁ

ମୁଁ ପିନ୍ଧିଥିବା ଭିନ୍ନ ଚରିତ୍ରର ମୁଖା

ନିଜ ଝାଳ ଧୋଇଦେଲା ସବୁ କିଛି ମୋର ଅପ୍ରାକୃତିକତା

ନିଟୋଳ ଦୁନିଆ ଆଗରେ ମୁଁ

ଛିଡା ହେଇଗଲି ନିହାତି ନାଚାର, ଅକର୍ମାଟିଏ

ହୀନବୀର୍ଯ୍ୟ, ପରାହତ ମଣିଷଟିଏ

ଲଦି ହେଇଯାଇଥିଲା ଛାଏଁ ଛାଏଁ ପିଠିରେ ପିଠିଏ

ଗ୍ଲାନି ଓ ଅପମାନର ବୋଝ ।


ଅନେକ ମନ୍ଦିର ଗଲି ହାତଯୋଡି, ମୁଣ୍ଡ ବାଡେଇ, ଲୁହ ଗଡେଇ

ଦିଅଁ ଦେବତାଙ୍କୁ ଗୁହାରି କଲି ।

ସମାଜର ବଡପଣ୍ଡା ସାଜିଥିବା ସବୁ

ଚୋର ଚଣ୍ଡାଳଙ୍କୁ ଅନେକ ଅନେକ ନେହୁରା ହେଲି ।

ଢାଳି ହେବାକୁ ଲାଗିଲା ମହଣ ମହଣ ସହାନୁଭୁତିର ଘିଅ

ମୋ ଗ୍ଲାନି ଓ ଅପମାନର ଯଜ୍ଞ କୁଣ୍ଡରେ

ମୁଁ ଜଳିବାକୁ ଲାଗିଲି ହୁତୁ ହୁତୁ ସେ ଯଜ୍ଞାଗ୍ନିରେ

ହାତପାଆନ୍ତରେ କେହି କିନ୍ତୁ

ବଢେଇ ଦେଲେନି ଅମ୍ଳାନ ବସ୍ତ୍ର ଖଣ୍ଡିଏ

ଅକ୍ଷତ ଉତ୍ତୁରି ଯିବାକୁ ଯଜ୍ଞକୁଣ୍ଡରୁ ।


ମୁଁ ବାଧ୍ୟ ହେଲି ରହିଯିବାକୁ

ଅଲୋଡା ଅକର୍ମା ଅମଣିଷଟିଏ ସର୍ବଦା ପ୍ରସ୍ତୁତ

ନାଚିବାକୁ ସେହି ବଡପଣ୍ଡାଙ୍କ ଆଙ୍ଗୁଠି ପଗର ନିର୍ଦ୍ଦେଶରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational