ପାନ୍ଥଶାଳା – ୧୨
ପାନ୍ଥଶାଳା – ୧୨
ଦୁଃଖ ଏତିକି ଯେ
ସବୁ ଚେଷ୍ଟା ସତ୍ତ୍ବେ ମୁଁ ଗଢି ପାରିଲିନି
ତୁମ ପାଇଁ
ତୁମ ପସନ୍ଦର ପାନ୍ଥଶାଳାଟିଏ
ବାହୁ ପ୍ରସାରି କୋଳେଇ ନେଇ ପାରିଲିନି
ତୁମ ମତେ
ସମସ୍ତ ତୁମ ବେତଣ୍ଡା ଯୁକ୍ତିକୁ
ଅଥବା, ଘୋଡେଇ ଦେଇ ପାରିଲିନି
ସମସ୍ତ ନିରବତାକୁ
ମୁଁ ଗଢିଥିବା ମୋର ଏ ଚକମକି ରଙ୍ଗଶାଳାର
ଖୁବ୍ ଅନୂଢା କୋଳାହଳ ଭିତରେ
ଚେଷ୍ଟା କରିଥିଲି ଅବଶ୍ୟ
ମୋ ଗଢା ଇମାରତ କୁ ରୂପାନ୍ତରିତ କରିନେବି
ଅନନ୍ୟ ମନ୍ଦିରଟିଏ କରି ଖାସ୍ କରି ତୁମ ଖୁସି ପାଇଁ
କିନ୍ତୁ ତୁମେ ସମର୍ଥନ କରୁଥିଲ
ଏକ କଳ୍ପିତ ପାନ୍ଥଶାଳର ରୂପାୟିତ ଅବୟବକୁ,
କାର
ଣ ତୁମେ ବିତସ୍ପୃହ ଥିଲ
ମନ୍ଦିର ବା ଦେବତାର କିଛି ବି ସଂଜ୍ଞା ପ୍ରତି
ଅମୀମାଂସିତ ଏ ଦ୍ବନ୍ଦ ପାଇଁ
ଜାଣି ହେଲାନି କେତେବେଳେ ଦରଗଢା ରହିଗଲା
ମୋ ଇମାରତ
ନା ହୋଇ ପାରିଲା ପାନ୍ଥଶାଳା, ନା ମନ୍ଦିର
ବୟସର ସାୟାହ୍ନରେ ଅନୁଭବ ହୁଏ ଏବେ
ପାନ୍ଥଶାଳାର ଗୁରୁତ୍ବ
ସ୍ନେହ ମାୟା ପ୍ରୀତିର ଏକ ଅନନ୍ୟ ଗନ୍ତା ଘର ଭାବେ
ମନେହୁଏ କେବେ ବା କେମିତି,
ମାନି ନେଇ ଥାଆନ୍ତି ସତେ ମୁଁ ତୁମ ପନ୍ଥଶାଳାର ଯୁକ୍ତି
ହୁଏତ ଦରଗଢା ରହି ନଥାଆନ୍ତା
ମୋ ଇମାରତ, କିମ୍ବା
ମୁଁ ହୁଏତ ଭୟଭୀତ ହେଉନଥାଆନ୍ତି ପ୍ରତିକ୍ଷଣ
ତା’ର ଜଘନ୍ୟ ଖିଙ୍କାରରେ