STORYMIRROR

Santosh Kumar Misra

Inspirational

3  

Santosh Kumar Misra

Inspirational

ସମୟ

ସମୟ

1 min
267

ମୋ ଟେରାସ୍‌ ଉପରୁ ଦିଶିଯାଏ

ସମୟ ଛାତିରେ ସାପ ପରି ଲେପ୍‌ଟେଇ ପଡିଥିବା

ଶୁଖିଲା ନଈ ଫଲ୍‌ଗୁ, 

ଆଉ ତାକୁ କୋଳେଇ ନେଇଥିବା 

ମାଟି ମା’ର ଧୁସରିଆ ଚିରାଫଟା ପଣତ କାନି ।


କିଛି ଦିନ ତଳେ ନଈଟି ଉନ୍ମତ୍ତ ହେଉଥିଲା

ତା ବକ୍ଷର ଉତ୍ତାଳ ତରଙ୍ଗରେ

ଆଜି କିନ୍ତୁ ଶୋଇ ଯାଇଛି ତାର ଅହଙ୍କାର

ନିର୍ଜୀବ ଅବଶେଷଟିଏ ପରି 

ମାଟି କାମୁଡି।


ସମୟ ଚକ୍ରରେ ଫେଣ୍ଟି ହେବା 

ଅବଶ୍ୟ ବିଦ୍ଧି ନିର୍ଦ୍ଦିଷ୍ଟ,

କେବେ କେହି ରାଜକୁମାରକୁ ଥାଳ 

ଧରେଇଥାଏ ସମୟ, ତ

ଆଉ କେବେ କେହି ଗାଉଁଲି ଗାଈଆଳ କପିଳାକୁ

ପିନ୍ଧେଇଥାଏ କପିଳେନ୍ଦ୍ର ଦେବଙ୍କ ମକୁଟ ।

 

କିଏ କଅଣ ମନେ ରଖିପାରିଛି

ସମୟକୁ ବାଜିମାରି କେହି ଯିତି ଯାଇଥିବା କଥା

ଅବା, ସମୟକୁ ବଶ କରି କେହି କେବେ

ଜୀବନ ଜଞ୍ଜାଳର ମଙ୍ଗମୋଡି ପାରିଥିବା କଥା ।


ତେବେ, 

ଜୀବନ ଜଞ୍ଜାଳର ଏହି ଧୃବସତ୍ୟକୁ 

ଉପେକ୍ଷା କରି 

ରାଜଦାଣ୍ଡରେ ଉଦଣ୍ଡ ନୃତ୍ୟ କରୁଥିବା 

ବିକ୍ରମାଦିତ୍ୟମାନଙ୍କୁ

କିଏ ବୁଝେଇ ପାରିବ ସହଜରେ 

ସମୟର ଏହି ନିଷ୍ଠୁରତାକୁ ।


ନିଜେ ହିଁ ନିଜର ଗୁରୁ ହୋଇ

ଆପେ ଆପେ ବୁଝିନଗଲେ ଜୀବନ ଜିଇଁବାର 

ଏ ନିଜସ୍ବ ସଙ୍କଳିତ ପରିଭାଷା 

ଦିନେ ଶୁଖିଲା ଫଲ୍‌ଗୁ ପରି 

ଲେପେ୍‌ଟେଇ ପଡିବାକୁ ହେବ ଅବଶ୍ୟ

ସେହି ରାଜଦାଣ୍ଡରେ

ଯିଏ ସାକ୍ଷୀ ରହିଛି ବିକ୍ରମାଦିତ୍ୟମାନଙ୍କର

ଯୌବନର ଉଦ୍ଦାମତାର୤

ତେଣୁ ହେ ଉଦ୍ଦାମ ଔଦ୍ଧତ୍ୟବାନ୍‌ ମହାମହୀମ

ବେଳଥାଉ ସୁଧୁରି ଯିବନି କାହିଁକି, 

ଏବେ ନହେଲେ, କେବେର ସମ୍ଭାବନା 

ହୁଏତ ପୋଛି ହେଇଯିବ 

ସମୟର ଭାଷାକୋଷ ମଧ୍ୟରୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational