ପାନ୍ଥଶାଳା – ୧୫
ପାନ୍ଥଶାଳା – ୧୫
ତା’ ବାଟ ଦେଇ ଚାଲିଗଲା ବେଳେ
ଏବେବି ନଜରଟା ଟାଣି ହେଇଯାଏ ତା’ର
ରଙ୍ଗଛଡା ଅବୟବ ଆଡେ
ପାଦ ଟିକିଏ ଅଟକି ଯାଏ,
କିଛି ପୁରୁଣା ସ୍ମୃତି ଅନୁଭୂତି ଉଙ୍କିମାରେ ମନରେ,
ଦେହରେ ଖେଳିଯାଏ ଏକ ଶକ୍ତ ଶିହରଣ
ଉଡା କର୍ପୂର ବାସ୍ନାରେ ଏବେବି ମୁଖରିତ
ତା’ର ପରିସର
କିନ୍ତୁ କଷ୍ଟ ହୁଏ ଦେଖିଲେ
ତା’ ବୈଠକିରେ ଖାଲି ପଡିଥିବା ସିଂହାସନକୁ
ଖୋଜିଲେ ବି ଆଉ ମିଳୁ ନାହାନ୍ତି
କେହି ବି ଜଣେ ମୁକୁଟ ବିହୀନ ସମ୍ରାଟ
ଆବୋରି ନେବାକୁ ତା’କୁ
ଜାଗତିଆର ଏବେ ଅନେକ ସ୍ବେଚ୍ଛାସେବୀ,
ଫିଙ୍ଗା ଚାଲିଲାଣି ଦାବୀ ମାନ ଭିନ୍ନ ଭିନ୍ନ ବାହାନାରେ,
ସବୁରି ମୂଳରେ କିନ୍ତୁ ଇଚ୍ଛା ଗୋଟିଏ
ଯେନତେନ ପ୍ରକାରେଣ ଅକ୍ତିଆର କରିବାକୁ ହେବ
ତା’ର ଶୂନ୍ୟ ସିଂହାସନ
କିଏ ଜାଣେ କେବେ ମନସ୍ଥ କରିନେବେ ପ୍ରାଶାସନ
ଶାଗମାଛ ଦରରେ ନିଲାମ କରିବେ
ତା’ର ପ୍ରତିଟି ଅଙ୍ଗ
ଗଢି ତୋଳିବାକୁ ଭିନ୍ନ ସ୍ବାଦର ଅନ୍ୟ ଏକ
ସାଂସ୍କୃତିକ ପ୍ରତୀକ
ନିଶ ମୋଡି ଭେଟି ଦେବାକୁ
ଉତ୍ତର ପିଢିଙ୍କୁ