ସତ ,ମିଛ ଓ ପାପ
ସତ ,ମିଛ ଓ ପାପ
କିଛି ଦିନ ପୂର୍ବେ ଯାଉ ଥିଲି ଘରେ
ଷ୍ଟେସନରେ ବସି ଥାଏ
ଅନ୍ୟମନସ୍କରେ ଭାବନାରେ ରହି
କବିତାରେ ମଜ୍ଜି ରୁହେ ।
ଚତୁର ଚାଲାଖ ଚୋର ଏକ ଆସି
ବସି ଗଲା ମୋର ପାଶେ
ଲକ୍ଷଣ ଗୁଡ଼ିକ ଭଲ ଲାଗିଲାନି
ମନେ ମନେ ମୁହିଁ ହସେ ।
ଲେଖନୀ ମୋହର ଅସ୍ଥିର ହୁଅଇ
ଚଳିବାକୁ ବାରମ୍ବାର
ଖାତା କଲମକୁ ବାହର କରି ମୁଁ
ପକାଇଲି ସ୍ମୃତି ଗାର ।
ସବୁ ଦିନ ନାହିଁ ଚାନ୍ଦିନୀ ରାତି କି
ଲୁଚି ରୁହେ ନାହିଁ ସତ
ସୂରଜ ଉଇଁଲେ ସବୁ ପରିଷ୍କାର
ମିଛ କି ରହିବ ଗୁପ୍ତ ।
ମୁହୁର୍ମୁହୁଃ ବାସ ଚହଟି ଉଠଇ
ସରା କି ବସିବ ମାଡ଼ି
ପ୍ରକାଣ୍ଡ ବୃକ୍ଷ ସେ ସତ୍ୟ ରୂପି ଦେହ
ମିଥ୍ୟାକୁ ନିଏ ସେ ଭିଡ଼ି ।
ସହସ୍ର ମିଛରେ ପାକ ବାନ୍ଧି ତୁମେ
ଯଦି କରି ଥାଅ ଲଡୁ
ଦୁଲୁକିବ ଘର ଦୁଲୁକେ ସହର
ବାଜିବ ଝାଡୁକୁ ଝାଡୁ ।
ମିଥ୍ୟା ବ୍ୟକ୍ତି ସ୍ବର ଭାରି ସୁମଧୁର
ପାଣିରେ ପକାଏ ସର
ଯିଏ ଖାଇ ଥାଏ ଭୂଲିବ କି ସିଏ
କହୁ ଥିବ ଧର ମାର ।
ମିଥ୍ୟାବାଦୀ ଚୋର ବେନି ସହୋଦର
ଏକକୁ ଆରେକ ବଳି
ବେନି ଜନ ଯଦି ଗୃହେ ପ୍ରବେଶିବେ
କେବେ ସରେ ନାହିଁ କଳି ।
ମିଛର କାନକୁ ଚୋର କାଟି ନେଲା
ଫିଟାଇ ପାରେନା ପାଟି
ମୁହଁର ଶବଦ ବାହାରେ ନଯାଉ
ଲୁଚାଇ ଖାଏ ସେ ମାଟି ।
ଚୋର ଯେତେ ହେଉ ଚାଲାଖ ଚତୁର
ଅଜାଣତେ ଛାଡେ ଛାପ
ତାକୁ କେନ୍ଦ୍ର କରି ଯଦି ଯାଅ ଘୂରି
ବଳି ପଡେ ମିଛ ପାପ ।
