ଷଡ଼ଯନ୍ତ୍ର
ଷଡ଼ଯନ୍ତ୍ର


ସେମାନେ ଆସନ୍ତି ଲୁଚି ଲୁଚି ଚିହ୍ନା ମୁଖା ପିନ୍ଧି
ଚୋରେଇ ନେବାକୁ ମୋ ଶାନ୍ତିର ସନ୍ତକ ସବୁ ଆଖି ପିଛୁଳାକେ
ମୋତେ ଜିଇଁ ନେଇ ଖାଲି କରି ମୋ ଭାଗ ଜୀବନ
ମୁଁ ଦେଖି ବୁଝି ଜାଣିଶୁଣି ବସି ରହେ ମୋ ସ୍ଥାନରେ ନିରବେ ନିର୍ବାକେ।
ନିଜ ଚତୁରତାର ସୁବର୍ଣ ଦାନ୍ତରେ ହସି ହସି
ଯେବେ ଷଡଯନ୍ତ୍ର ରଚନ୍ତି ମୋ ସରଳତାର ସାମ୍ରାଜ୍ୟ ବିରୁଦ୍ଧେ
ମୁଁ ବୋକାମୀର ଉପଢୌକନକୁ ସାଇତି ରଖି
ଅଣଦେଖା କରି ସେମାନଙ୍କୁ ଏକାଏକା ଲୁଚି ଲୁଚି କାନ୍ଦେ।
ତଥାପି ମୁଁ ସଗୌରବେ ଚୁପ ରହେ ମଥା ପାତି
ଆକାଶଟାକୁ ସେମାନେ ଅଧିକୃତ କରିଥାନ୍ତି ଯେବେ
ମିଛଟାରେ ଡେଣା ଝାଡ଼ି ଉଡ଼ିବା ମୁଁ ପାରେନା ଦେଖାଇ
ସେଥିପାଇଁ ଭୂମିକୁ ଆଦରି ବସେ ଯିଏ ଯାହା ଇଛା ତାହା ଭାବେ।
ପ୍ରତିଯୋଗିତାରେ ମୋର କେବେ ନଥାଏ ବିଶ୍ବାସ
କାରଣ ଜିତିବା ଏଠାରେ ଏକ ଆପେକ୍ଷିକ ଶବ୍ଦଟିଏ ମାତ୍ର
ମୋ ନିଜସ୍ୱ ପରିଧି ଭିତରେ ବେଶ କିଛି ଖୁସି ସଞ୍ଚି ଥାଏ
ସୁଖ କିଣା ବିକା ଏଠି ଲାଗେ ଭାରି ସତରେ ବିଚିତ୍ର।
ସେମାନେ କିନ୍ତୁ ହସୁଥାନ୍ତି ସୁଖରେ କି ଅହଙ୍କାରେ କେଜାଣି
ନିଜ ଷଡଯନ୍ତ୍ରର ଚକ୍ରାନ୍ତରେ ସଫଳ ହୋଇଯିବା ପରେ,
ମୁଁ କିନ୍ତୁ ହସୁଥାଏ ସବୁ କିଛି ଚୋରିହୋଇ ଯିବାରଖୁସିରେ
ହାରିବାର ଉତ୍ସବ ମନାଇ ନିଜେ ନିସ୍ୱ ହୋଇଗଲା ପରେ।