STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଷଡ଼ଯନ୍ତ୍ର

ଷଡ଼ଯନ୍ତ୍ର

1 min
217

ସେମାନେ ଆସନ୍ତି ଲୁଚି ଲୁଚି ଚିହ୍ନା ମୁଖା ପିନ୍ଧି

ଚୋରେଇ ନେବାକୁ ମୋ ଶାନ୍ତିର ସନ୍ତକ ସବୁ ଆଖି ପିଛୁଳାକେ

ମୋତେ ଜିଇଁ ନେଇ ଖାଲି କରି ମୋ ଭାଗ ଜୀବନ

ମୁଁ ଦେଖି ବୁଝି ଜାଣିଶୁଣି ବସି ରହେ ମୋ ସ୍ଥାନରେ ନିରବେ ନିର୍ବାକେ। 


ନିଜ ଚତୁରତାର ସୁବର୍ଣ ଦାନ୍ତରେ ହସି ହସି 

ଯେବେ ଷଡଯନ୍ତ୍ର ରଚନ୍ତି ମୋ ସରଳତାର ସାମ୍ରାଜ୍ୟ ବିରୁଦ୍ଧେ

ମୁଁ ବୋକାମୀର ଉପଢୌକନକୁ ସାଇତି ରଖି

ଅଣଦେଖା କରି ସେମାନଙ୍କୁ ଏକାଏକା ଲୁଚି ଲୁଚି କାନ୍ଦେ।


ତଥାପି ମୁଁ ସଗୌରବେ ଚୁପ ରହେ ମଥା ପାତି

ଆକାଶଟାକୁ ସେମାନେ ଅଧିକୃତ କରିଥାନ୍ତି ଯେବେ

ମିଛଟାରେ ଡେଣା ଝାଡ଼ି ଉଡ଼ିବା ମୁଁ ପାରେନା ଦେଖାଇ

ସେଥିପାଇଁ ଭୂମିକୁ ଆଦରି ବସେ ଯିଏ ଯାହା ଇଛା ତାହା ଭାବେ।


ପ୍ରତିଯୋଗିତାରେ ମୋର କେବେ ନଥାଏ ବିଶ୍ବାସ

କାରଣ ଜିତିବା ଏଠାରେ ଏକ ଆପେକ୍ଷିକ ଶବ୍ଦଟିଏ ମାତ୍ର

ମୋ ନିଜସ୍ୱ ପରିଧି ଭିତରେ ବେଶ କିଛି ଖୁସି ସଞ୍ଚି ଥାଏ

ସୁଖ କିଣା ବିକା ଏଠି ଲାଗେ ଭାରି ସତରେ ବିଚିତ୍ର।


ସେମାନେ କିନ୍ତୁ ହସୁଥାନ୍ତି ସୁଖରେ କି ଅହଙ୍କାରେ କେଜାଣି

ନିଜ ଷଡଯନ୍ତ୍ରର ଚକ୍ରାନ୍ତରେ ସଫଳ ହୋଇଯିବା ପରେ,

ମୁଁ କିନ୍ତୁ ହସୁଥାଏ ସବୁ କିଛି ଚୋରିହୋଇ ଯିବାରଖୁସିରେ

ହାରିବାର ଉତ୍ସବ ମନାଇ ନିଜେ ନିସ୍ୱ ହୋଇଗଲା ପରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract