STORYMIRROR

Chinmaya Kumar Nayak

Romance Tragedy

3  

Chinmaya Kumar Nayak

Romance Tragedy

ସର୍ତ୍ତ ଥିଲା

ସର୍ତ୍ତ ଥିଲା

1 min
203

ସର୍ତ୍ତ ଥିଲା

ତୁମ ନୟନର ତୀରେ ଉଠିଲେ କଲ୍ଲୋଳ

ମୁଁ ହୃଦୟେ ଆଉଜି ନେବି,

ମୋ କପାଳର ରେଖା କୁଞ୍ଚିତ ହେଲେ

ତୁମେ ସାଜିବ ଶାନ୍ତିର ଚାବି।


ସର୍ତ୍ତ ଥିଲା

ତୁମେ କାଳେ ଝୁଣ୍ଟି ପଡ଼ିଯିବ କେବେ

ମୁଁ ହେବି ତୁମ ଚିର ଆଶ୍ରା,

ମୁଁ ପଥ ହୁଡ଼ି ଯେବେ ହଜିବି ଦିଗନ୍ତେ

ତୁମେ ସାଜିବ ମୋ ଧ୍ରୁବତାରା।


ସର୍ତ୍ତ ଥିଲା

ତୁମେ ଯେବେ ହେବ ଦୋଷୀଟିଏ ତେବେ

ମୁଁ କ୍ଷମାଶୀଳ ହେବି ସଦା,

ମୁଁ କ୍ରୋଧବଶେ କହିଦେଲେ କିଛି

ତୁମେ ମୁରୁକି ହସିବ ସଦା। 


ସର୍ତ୍ତ ଥିଲା

ମୋ ରାତି ପାହିବନି ତୁମବିନା କେବେ

ତୁମେ ସାଜିବ ମୋ ସଞ୍ଜଦୀପ,

ତୁମେ ହେବ ମୋ ଆଖିର ଗୌରବ

ମୁଁ ବିଶ୍ୱାସର ଉଚ୍ଚ ସ୍ତୁପ।


ସର୍ତ୍ତ ଥିଲା

ତୁମେ ଘନ ନିଶୀଥିନି ରାତିରେ ଜୋଛନା

ମୁଁ ଦିବସେ ମୟୁଖମାଳୀ,

ତୁମେ ଜୀବନ ମରୁରେ ପ୍ରେମ ମନ୍ଦାକିନୀ

ମୁଁ ସାଜିବି ହୃଦୟମାଳୀ।


ସର୍ତ୍ତ ଥିଲା 

ଭାଙ୍ଗିଯିବ ଯେବେ ଆମ ଜୀବନ ଭବନ

କେବେ ଉଡ଼ିବନି ଆଶା ଧ୍ଵଜ,

ଆସୁ ପଛେ ଯେତେ ଝାଞ୍ଜି ବୈଶାଖ

କେବେ ଶୁଖିବନି ପ୍ରିତୀ ମଞ୍ଜ।


ସର୍ତ୍ତ ଥିଲା

ତୁମ ଚିତ୍ତ ଯେବେ ସନ୍ଦେହେ ଭ୍ରମିବ

ମୁଁ ବିଶ୍ୱାସେ ହେବି ଆଶ୍ବାସ,

ମୁଁ ଯେବେ ଛଳନା ସ୍ରୋତେ ଯିବି ବହି

ତୁମେ ସମ୍ମୋହେ କରିବ ଗ୍ରାସ।


ସର୍ତ୍ତ ଥିଲା 

ତୁମେ ଯେବେ କ୍ରୁର ବିକାରେ ଜଳିବ

ମୁଁ ସାତ୍ଵିକ ସମୀର ହେବି,

ମୁଁ କାମନାର ଅନ୍ଧ ଗଳିରେ ହଜିଲେ

ତୁମେ ମୁକ୍ତିର ଜଳଛବି।


ସର୍ତ୍ତ ଥିଲା

ତୁମେ ସାଜିବ ମୋ ସଂସାର ଚନ୍ଦନ

ମୋ ସୁବାସ କୁସୁମ କଢ଼ି,

ଆଜି କେଉଁ ମାୟା ମୃଗ କଲା ବାୟା

ତୁମେ ଡେଣା ଝାଡ଼ିଗଲ ଉଡ଼ି !


ସର୍ତ୍ତ ଥିଲା

ତୁମ ଅଧରେ ହସର ଉର୍ମି ଖେଳୁଥିବ

ମୁଁ ବି ଲୋଟୁଥିବି ହସି

ଆଜି ଏ ଆଖିରେ ଶ୍ରାବଣର ଧାରା

ତୁମେ ପାଇଗଲ କେଉଁ ଖୁସି !


ସର୍ତ୍ତ ଥିଲା

ବାତାୟନ ପାଶେ ତୁମେ ଦେଖୁଥିବ

ମୋ ଫେରନ୍ତା ଗୋଧୂଳି ରଙ୍ଗ

ମୁଁ ଆଜି ବସିଛି ପ୍ରତୀକ୍ଷାରେ ତୁମ

ତୁମେ ଭୁଲିଗଲ ସେଇ ରଙ୍ଗ !


ସର୍ତ୍ତ ଥିଲା

ଆମ ଜୀବନ ଅୟନେ ଅକ୍ଷତ ବନ୍ଧନେ

ଶେଷ ସୀମା ଯିବା ଛୁଇଁ,

ଅଧା ବାଟେ ହାତ ଛାଡି ଦେଇ ତୁମେ

କେଉଁ ସୁଖେ ଗଲ ଧାଇଁ !


ସର୍ତ୍ତ ଥିଲା

ଏକ ନିଃସର୍ତ୍ତ ପ୍ରେମର ରାଜିନାମା ମଧ୍ୟେ

ଦୁଇ ହୃଦ ହେବ ଛନ୍ଦା

କେଉଁ ଆକାଶର ନୀଳ ନେଲା ଟାଣି

ମୁଁ ଏକା ପଡ଼ିଗଲି ବନ୍ଧା !


ସବୁ ସର୍ତ୍ତ ଆଜି ଅଳନ୍ଧୁ ପରାୟେ

ମୋ ଗବାକ୍ଷକୁ ଦେଇ ଢାଙ୍କି,

ପଙ୍ଗୁ ପ୍ରାୟ ଏ ମୋ ବିଖଣ୍ଡିତ ଆତ୍ମା

କାନ୍ଦେ ଶେଷ ସ୍ମୃତିରେଖା ଆଙ୍କି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance