ସ୍ରଷ୍ଟାଙ୍କ ସ୍ବପ୍ନ
ସ୍ରଷ୍ଟାଙ୍କ ସ୍ବପ୍ନ
ସ୍ଵପ୍ନ କବଳିତ ମନ ଥରେ ଥରେ କୁହେ
କୁହ ହେ ଈଶ୍ୱର କି ସ୍ବପ୍ନ ତୁମ ମନେ ରୁହେ
ଦେଇଛ ଯଦି ସ୍ବପ୍ନକୁ ଆଖିରେ
ରଖିନ କି କିଛି ତୁମରି ମନରେ
ସୁଖ ବି ଦେଇଛ ଦୁଃଖ ବି ଦେଇଛ
ରୋଗ ଭୋଗ ସବୁ ତୁମେ ଦେଇଅଛ
ଯାହା ଦେଇଅଛ ତାହା ତ ଭୋଗୁଛ
ସ୍ଵପ୍ନ କି ସତରେ ନିଜେ ନ ଦେଖୁଛ
ସଦା କୁହ ତୁମେ ଭକ୍ତ ପ୍ରାଣେଶ୍ୱର
ଭକତ ପାଇଁ ଯେ ହେଉଛ ଅଧୀର
ଯଦି ଭକ୍ତ ଦେଖେ ସ୍ବପ୍ନ କେତେ କେତେ
ତୁମେ କି ଦେଖୁନ କିଛି ସ୍ବପ୍ନ ସତେ
ତୁମରି ତ ପ୍ରଭୁ ମନଟିଏ ଅଛି
ତୁମ ମନରେ ବି ଚିନ୍ତା କେତେ ଅଛି
ଆଶା କି ନାହିଁ ହେ ତୁମରି ମନରେ
ନିତ୍ୟ କ୍ରୀଡା କର ଏ ମହୀ ଉପରେ
ହସି ଦିଅନ୍ତି ସେ ପରମ ଠାକୁର
ଭକ୍ତ ଆଜି ବୋଧେ ତା ପାଇଁ ଆତୁର
ଈଶ୍ୱର ସେ କଣ ଅପହଞ୍ଚ ତାଙ୍କ ପାଇଁ
ଯାହା ପାଇଁ ସ୍ବପ୍ନ ଦେଖିବେ ଗୋସେଇଁ
ତଥାପି ବୋଧେ ସେ କିଛି ଚିନ୍ତା କଲେ
ଚିନ୍ତାମଣି ଟିକେ ମନରେ ହସିଲେ
ସ୍ଵପ୍ନ ଦେଖିବାକୁ ଅଲୋଡା ତାଙ୍କର
ଯାହା ଭାବନ୍ତି ସେ କରନ୍ତି ସତ୍ୱର
କିନ୍ତୁ ବୋଧେ ସ୍ବପ୍ନ ବି ତାଙ୍କ ମନରେ ଅଛି
ପରମ ଈଶ୍ଵର ମଧ୍ୟ ଚାହୁଁଛନ୍ତି କିଛି
ସେ ମଧ୍ୟ ଆଶା ତାଙ୍କ ମନେ ରଖିଛନ୍ତି
ନିଜ ସୃଷ୍ଟି କିପରି ହେବ ଏ ସ୍ବପ୍ନ ଦେଖୁଛନ୍ତି
ସତ୍ୟ ଧର୍ମ ନ୍ୟାୟ ସ୍ଥାପନା ହୋଇବ
ମଣିଷ ପଣିଆ ମନୁଷ୍ୟ ଭିତରେ ରହିବ
କର୍ମ ବଳେ ସର୍ବେ ଧର୍ମକୁ ବଳୀୟାନ କରିବେ
ସ୍ରଷ୍ଟାଙ୍କ ସ୍ବପ୍ନ ତାଙ୍କ ସୃଷ୍ଟି ସତ୍ୟ ପଥରେ ଚାଲିବେ ।