ସରମ
ସରମ
ରୋମାଣ୍ଟିକ କବି ମାୟାଧର ମାନସିଂହ
ସେଦିନ ପୂର୍ଣ୍ଣିମା ନିଶା ; -ରଜତ-ଶର୍ବରୀ
ହସୁଥିଲା ଧରଣୀର ସର୍ବାଙ୍ଗ ଆବରି ;
ଅର୍ଦ୍ଧ-ରାତ୍ରେ ବଳଭୀରେ ଶୀତ ସମୀରଣେ
ସହସା ଭାଙ୍ଗିଲା ନିଦ୍ରା ।ଧବଳ ଶୟନେ
ଶାୟିତା ମୋ ଶଯ୍ୟା-ପାର୍ଶ୍ବେ ଦେଖିଲି ତୁମରେ,
ପ୍ରବାଳ ଲତିକା ସମ ସିନ୍ଧୁ ସୌକତରେ
ହେଳାରେ ହୋଇଛି ବ୍ୟସ୍ତ ବାସ ଶ୍ରୀଅଙ୍ଗର-
ଅନାବୃତ ସ୍ୱର୍ଣ୍ଣ ଦେହ ।ଶୁଭ୍ର ଚନ୍ଦ୍ର-କର
ନିବିଡେ ଚୁମ୍ବୁଛି ସର୍ବ ଦେହ ମୁଖ ଦେଇ
ପ୍ରେମାର୍ତ୍ତ ପ୍ରଣୟୀ ସମ ।ଅଙ୍ଗେ କର ଦେଇ
ଜାଗ୍ରତ କରିଲି ଧୀରେ ।ତନ୍ଦ୍ରା ଅବସାନେ
ଗଭୀର ସରମ ଲାଜେ,ଗୁରୁ ଅଭିମାନେ,
ଭର୍ତ୍ସନା କରିଲ ମତେ- 'ଛି ଛି ନିର୍ଲଜ୍ଜତା
ଅର୍ଦ୍ଧ ରାତ୍ରେ ନିଦ୍ରା ତେଜି ଏ କି ପୁରୁଷତା ! '
ସମାପ୍ତ