STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ସୃଜନୀ ରେଖା

ସୃଜନୀ ରେଖା

1 min
364

ତାରା ଫୁଟେ ଯେଉଁ ନଈ ପଠାରେ

ସେଇ ପଠାରେ ମୋ ଘର,

ଝିଲିମିଲି ସ୍ୱପ୍ନ ମେଖଳା ସଜାଇ

ରାତି କରେ ଆପଣାର। 


ଝରିପଡ଼େ ଯେବେ ଦୂର ଆକାଶରୁ

ନିର୍ମଳ ଜୋଛନା ରାଶି,

ସାଉଁଟି ବସେ ମୁଁ ନଦୀ ଜଳ ପୃଷ୍ଠେ

ଚିକିମିକି ତାରକସି। 


ଲାଜେଇ ଯାଇ ସେ ଜହ୍ନ ଯେବେ ଲୁଚେ

ବାଦଲର ଉହାଡ଼ରେ,

ତାରା ଫୁଲ ଫୁଟେ ଛାଇ ଅନ୍ଧାରରେ

ଛଳଛଳ ଜଳ ଧାରେ। 


ପାଦକୁ ବୁଡ଼ାଇ ତା ଶୀତ ଜଳରେ

ରାତିମନସ୍କ ମୁଁ ହୁଏ,

ସରଗ ତାରା କି ଖସି ପଡ଼ିଅଛି

ଦେଖି ମୁଁ ଭ୍ରମିତ ହୁଏ। 


ଦୂର ଦିଗନ୍ତରେ ଚମକେ ବାଦଲ

ଜହ୍ନ ଆଲୁଅରେ ଭିଜି,

ଦଣ୍ଡିକିରି କିଛି ମୋ ପାଦକୁ ବେଢ଼ି

ଆନନ୍ଦରେ ଥାନ୍ତି ମଜ୍ଜି। 


ଆକାଶ ଓହ୍ଲାଏ ସ୍ନାନ ଉପଲକ୍ଷେ

ଜହ୍ନ ତାରା ସାଥେ ମିଶି,

ନଦୀ ପାରିଦିଏ ତା ହିମ ଗାଲିଚା

ଶ୍ରଦ୍ଧା ସୁମନେ ପରଶି। 


କେତେ କାଳ ସେଇ ନଦୀ ପଠା ମୋର

ସାଜେ ଘରର ଅଗଣା,

ସମ୍ମୋହିତ ହୋଇ କେତେ ମୁଁ ହଜିଛି

ହିସାବ ତାର ପାଏନା। 


ସ୍ୱପ୍ନ ସବୁ ରୂପ ଧରି ମୋ ସମ୍ମୁଖେ

ନୃତ୍ୟରତ ନାନା ରଙ୍ଗେ,

ବାସ୍ତବ ବି ମୋତେ ମିଛ ପରି ଲାଗେ

ଏ ବେଳରେ ନଦୀ ସଙ୍ଗେ। 


କଳ୍ପନାର ନେତ୍ର ବିସ୍ଫାରିତ ହୁଏ

ଦେଖି ଏ ବିଚିତ୍ର ଛବି,

ପ୍ରକୃତିର କଳା ଚାତୁରୀରେ ହଜି

ଧନ୍ୟ ହୁଏ ଶାନ୍ତି ଲଭି। 


ସେଇ ନଦୀ ତୀରେ ଦେଖୁଛି ଆଜି ମୋ

କବିତାର ଚିତ୍ରଲେଖା,

ନିଳାମ୍ବର ଆଜି ନୀଳ ଜଳେ ମିଶି

ରଚେ ମୋ ସୃଜନୀ ରେଖା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract