ସ୍ଵର୍ଗର ଈଶ୍ୱର
ସ୍ଵର୍ଗର ଈଶ୍ୱର
ତୁମକୁ ଆକ୍ଷେପ କଲି ଯେ
ମତେ କଣ ନର୍କର ଭୟ ଦେଖାଉଛ
ମୁଁ ତ ନିତି ନିତି ଘାଣ୍ଟି ହେଉଛି ନର୍କରେ
ଯାହା ଭୟରେ
ତୁମେ ଆସନ ପାତିଛ
କେଉଁ ଦୂର ଅନୁପମ ସ୍ୱର୍ଗରେ ।
ଏଇଠାରେ ରହୁଥିଲ ଶୁଣି
ଆସିଥିଲି ଦୁଃଖ ଜଣାଇବାକୁ
ଏବେ ଖୋଜିଲାବେଳେ
ତମେ ବାହୁଡିଗଲଣି ମୋର ଅପହଞ୍ଚ ରାଜ୍ୟକୁ
ଏବେ ମୁଁ କେମିତି କହିବି
ତମେ ମୋର ଈଶ୍ୱର ବୋଲି
କାହାକୁ କହିବି
ତମେ ଚିରକାଳ
ମୋ ଅପେକ୍ଷାରେ ଥାଅ ବୋଲି ।
ମୁଁ କାନ୍ଥରେ ଯେଉଁ ଚିତ୍ର ଟାଙ୍ଗିଛି
ସେଇଠି ଯଦି ତମେ ଥାଆନ୍ତ
ତମେ ତ ଦେଖୁଥାନ୍ତ ଯନ୍ତ୍ରଣା ମୋର
ଶୁଣୁଥାନ୍ତ କାନ୍ଦ ମୋର
ମତେ ଆଉ ଖୋଜିବାକୁ ହୁଅନ୍ତା କି ଠିକଣା
ଦଊଡନ୍ତି କେବେ କଣ ଦୁଆରକୁ ତୁମର ।
ଏମିତି ବି ହୋଇ ପାରେ
ତମେ ଆଉ ସହିପାରୁନାହଁ
ଦୁଃଖ ମୋର ଦେଖି ଦେଖି
ତଥାସ୍ତୁ ପାରୁନ କହି
ଥକିଲଣି ଅନ୍ୟକୁ ସୁଖ ବାଣ୍ଟି ବାଣ୍ଟି
କାନ୍ଥରେ ଚିତ୍ର ହୋଇ ଝୁଲୁଛି ଯାହା
ସେଥି ଏବେ ତମେ ନାହଁ
କିମ୍ବା ତମ ପଣ ନାହିଁ
ତମେ ସତରେ ସ୍ୱର୍ଗକୁ ଯାଇଛ ପଳେଇ
ଏକୁଟିଆ ନର୍କରେ ମତେ ଛାଡିଦେଇ ।