ସର୍ବଗିଳା ହୁତାଶନ
ସର୍ବଗିଳା ହୁତାଶନ
ଅଜଗର ସାପ ଗିଳିଲା ପରିକା
ଅଛନ୍ତି ମଣିଷ କେତେ,
ସମାଜ ଭିତରେ ସବୁ ଯିବେ ଗିଳି
ପାଟିକୁ ମିଳିବ ଯେତେ ।
ସକାଳରୁ ସଞ୍ଜ, ସଞ୍ଜରୁ ସକାଳ
ଗିଳନ୍ତି ସାରା ଜଗତ ,
ସର୍ବଗିଳା ହୁତାଶନ ବୋଲି ତାଙ୍କ
ନାମ ହୋଇଛି ବିଦିତ ।
ଏମାନେ ରାହୁ ରାକ୍ଷସଙ୍କ ପ୍ରତିରୂପ
ଜନମିଛନ୍ତି ଧରାରେ ,
ନିର୍ଵିକାର ଭାବେ ଚରିଯିବେ ସବୁ ,
ବାଛ ନଥିବ କାହାରେ ।
ଖାଉଥାନ୍ତି ଖାଦ୍ୟ ଗୁଡେଇ ତୁଡେଇ
କାନିକା ହେଉ ପଖାଳ ,
ମହୁଲୀ ବିଦେଶୀ ସବୁ ପିଇଯାନ୍ତି
ମୋଫତେ ହୋଇ ଆକୁଳ ।
ଓଡ଼ିଶା ବାତ୍ୟା ସେ ହେଉ ଅବା ହେଉ
ଗୁଜୁରାଟ ଭୂମିକମ୍ପ ,
ମିଳିବା ଦ୍ରବ୍ୟକୁ ଗିଳିବା ପାଇଁକି
ଜଗି ରହନ୍ତି ସେ ତମ୍ପ ।
ଚମ୍ପା ମାଳଠାରୁ ଜୋତା ମାଳଯାଏଁ
ବେକେ କରନ୍ତି ଧାରଣ ,
ଖଦଡ଼ ଲୁଗାରୁ ପ୍ୟାଣ୍ଟ୍ ସାର୍ଟତକ
ତାଙ୍କ ପିନ୍ଧିବା ବସନ ।
ଭଙ୍ଗା ସାଇକେଲ ଅବା ଦାମୀ କାର୍
ବାହନ ଅଟେ ତାଙ୍କର ,
ପାଞ୍ଚ ପଇସା ଠୁ ପାଞ୍ଚଲକ୍ଷ ଯାଏଁ
ଦକ୍ଷିଣା ନିଅନ୍ତି ଚୋର ।
ଏମାନଙ୍କ କଥା କହିଲେ ନସରେ
ଜଗତେ ବାଜେ ବାଜଣା ,
ମୃତ୍ୟୁ ପରେ ସ୍ୱର୍ଗେ ଯିବେ କି ନରକେ
ଆମ୍ଭଙ୍କୁ ଏହା ଅଜଣା ।
