ଆଲୋକର ପର୍ବ ଦୀପାବଳି
ଆଲୋକର ପର୍ବ ଦୀପାବଳି
ଅମାବାସ୍ୟାର ଘନ ଅନ୍ଧକାର ମଧ୍ୟରେ
ଧାଡ଼ି ଧାଡ଼ି ପ୍ରଦୀପମାଳା ପ୍ରତିଘରେ
ଆଉ ମଠ ଓ ମନ୍ଦିରେ ।
ଚତୁର୍ଦ୍ଦିଗ ଆଲୋକିତ
ସେମାନଙ୍କ ଉଜ୍ଜ୍ୱଳ ଶିଖାରେ ।
ପୁରପଲ୍ଲୀରେ ନରନାରୀ ବ୍ୟସ୍ତ
ସେମାନଙ୍କ ପରମ୍ପରା ପାଳିବାରେ ।
ଆମନ୍ତ୍ରି ଆଣିଥିବା ପିତୃପୁରୁଷଙ୍କୁ
ଆଲୋକ ଦେଖାଇ ଦିଅନ୍ତି ବିଦାୟ ।
ସୁମିଷ୍ଟ ପିଷ୍ଟକ ଖାଇ
ପରିଧାନ କରି ନୂତନ ପୋଷାକ
ହର୍ଷୋତ୍ ଫୁଲ୍ଲ ସମସ୍ତଙ୍କ ମୁଖ ।
ଏହିକାଳେ ଅବତୀର୍ଣ୍ଣା
ମାତା ଶ୍ୟାମାକାଳୀ ।
ମୁକ୍ତକେଶୀ ରୁଦ୍ରବେଶୀ
ଖଣ୍ଡା ଖର୍ପର ଧାରିଣୀ
ମହିଷମର୍ଦ୍ଦିନୀ ଆଉ
ନରମୁଣ୍ଡ ମାଳିନୀ
ନୃତ୍ୟରତ ପ୍ରଳୟନାଥଙ୍କ ଉପରେ ।
ରାକ୍ଷସ ସ°ହାର କରି
ଭୟଙ୍କର ରୂପ ଧରି
ପ୍ରଚଣ୍ଡ ବେଗରେ ଆସୁଥିଲେ
କ୍ରୋଧାନ୍ବିତା ମାତା ।
କ୍ରୋଧ ଉପଶମ କରିବାକୁ
ନିଜେ ହିଁ ଶଙ୍କର
ଆଗମନ ପଥେ କରିଲେ ଶୟନ ।
କୌତୁହଳେ ତାଙ୍କପରେ କାଳୀମାତା
ଆନନ୍ଦ ମନରେ କରିଲେ ନର୍ତ୍ତନ ।
କିନ୍ତୁ! ଦୃଷ୍ଟି ପଡ଼ନ୍ତେ ନିଜ ପତିପରେ
ଶଙ୍କୋଚରେ କାମୁଡ଼ିଲେ ଜିହ୍ବା ।
ସେହିଦିନୁ ମାତାଙ୍କ ପ୍ରତିମାରେ
ଦେଖିବାକୁ ମିଳେ
ରକ୍ତବୋଳା ପ୍ରଲମ୍ବିତ ଜିହ୍ବା ।
ଯେଉଁ ନାରୀଶକ୍ତିକୁ ସମ୍ମାନ ଦେଇ
ଶଙ୍କର ପଡ଼ିଥିଲେ ନିଜ ପତ୍ନୀପାଦେ
ସେହି ନାରୀ ଶକ୍ତିକୁ
ଆଜିର ପୁରୁଷ ପୁଙ୍ଗବ
ଅବମାନନା କରି ବ୍ୟବହାର କରେ
ଉପଭୋଗ୍ୟା ଆଉ କ୍ରୀଡ଼ନକ ଭଳି ।
ସେହି ନାରୀଶକ୍ତିର ଅଭିଶାପରେ
ଏବେ ସାରା ପୃଥିବୀ ଭୀତତ୍ରସ୍ତ ।
ବନ୍ଯା ବାତ୍ଯା ଭୂମିକମ୍ପ
ଦୈବୀ ଦୁର୍ବିପାକ
ଆଉ ସନ୍ତ୍ରାସବାଦୀଙ୍କ
ନର ସ°ହାରରେ
ସମସ୍ତେ ଆଜି
ପଞ୍ଚ ବିକାରରେ ଲିପ୍ତ ।
ଶାନ୍ତି ଆଉ ସଦ୍ ଭାବ
ନାହିଁ କେଉଁଠାରେ ।
ମୃତ୍ୟୃର ତାଣ୍ଡବ ଲୀଳା
ଲାଗିଅଛି ସଦା ।
ତେଣୁ ହେ ପବିତ୍ର ଭାରତର
ସୁଯୋଗ୍ୟ ଦାୟାଦଗଣ !
ନିଜର ସୁପ୍ତ ଜ୍ଞାନାଲୋକକୁ
ଉଦ୍ ଜୀବିତ କରି
ଅମାବାସ୍ୟାର ଅଜ୍ଞାନ ଅନ୍ଧକାରକୁ
କରନ୍ତୁ ବର୍ଜନ ।
ନିଜ ଆଲୋକରେ ଆଲୋକିତ
କରନ୍ତୁ ଜଗତ ।
ଫେରାଇ ଆଣନ୍ତୁ ପୃଥିବୀରେ
ସୁଖ ଶାନ୍ତି ଆଉ ଦୁର୍ବାର ଆନନ୍ଦ ।
ଆଉ ବିଶ୍ବମାନବିକତାର
ଦିବ୍ୟ ଚିନ୍ତାଧାରା ।