ଦିନେ ଗାଆଁକୁ ଯାଇଥିଲି
ଦିନେ ଗାଆଁକୁ ଯାଇଥିଲି
ଟିକି ଆମ ଗାଆଁଟି ,
ଟିକି ଆମ ଗାଆଁଟି ,
ଛାଡ଼ି ଆସିଲେ ହେଲେ ବି ଭୁଲି ,
ନ ହୁଏ ତା'ର ନାଆଁଟି ,
ଟିକି ଆମ ଗାଆଁଟି ।
ଆମ ଗାଆଁର ନୂଆ ସାହିରେ
ଆମର ଟିକି ଘରଟି ,
ସେଇଠି ମୋର ଏନ୍ତୁଡ଼ି ଶାଳ ,
ଥିଲା ଜନମ ବେଳଟି ।
ସେ ଘରୁ ଦିନେ ଭାସି ଆସିଲା,
ଶବଦ କୁଆଁ କୁଆଁଟି ,
ଟିକି ଅମ ଗାଆଁଟି ।
ତିନିଟି ଆମ୍ବ ଗଛ ଥିବାରୁ ,
ଗାଆଁ ଖେଳ ପଡ଼ିଆଟି ,
ତିନି ଆମ୍ବ ପଡ଼ିଆ ବୋଲି ସେ,
ପରିଚିତ ହୋଇ ଥିଲାଟି ।
ବୋହୁଚୋରୀ ଓ କବାଡ଼ି ଗିଲି ,
ଖେଳୁ ବୁଲାଇ ଭୁଆଁଟି ,
ଟିକି ଅମ ଗାଆଁଟି ।
ଗାଆଁ ଦୂରରେ ଗହଳ ତୋଟା ,
ଅନ୍ଧାର ସ୍ଥାନ ଥିଲାଟି ,
କିରା ଖାଇଯେ ତା'ନାମ ଥିଲା,
ପିଲାଙ୍କୁ ଭୟ ଲାଗେଟି ।
ବିଲରୁ ଧାନ ଗୋଟାଇ ଆଣି ,
କିଣୁ ବାଦାମ ମୁଆଁଟି,
ଟିକି ଅମ ଗାଆଁଟି ।
ଆମ ଗାଆଁର ବାଉତିମୂଳେ ,
ବୁଢ଼ୀ ଠାକୁରାଣୀ ଥାଏଟି ,
ମଙ୍ଗଳ ବାର ଶନିବାରରେ
ଜନ ଗହଳି ହୁଏଟି ।
ସେଠାରେ ଥିବା ଧଳା ଓ ନାଲି
କାଇଁଚ ପାଇଁ ଧାଉଁଟି ,
ଟିକି ଆମ ଗାଆଁଟି ।
ଆମ ଗାଆଁର ମନ୍ଦିର ସବୁ ,
ଆମରି ପ୍ରିୟ ସ୍ଥାନଟି ,
ସକାଳ ସଞ୍ଜେ ଆଳତି ବେଳେ,
ଶୁଭଇ ଘଣ୍ଟା ତାନଟି ।
ଯାନି ଯାତରା ବେଳେ ଲୋକଙ୍କ ,
ଗହଳି ସେହି ଠାଆଁଟି ,
ଟିକି ଆମ ଗାଆଁଟି ।
ଆମ ଗାଆଁର ପୋଖରୀ ଜଳ ,
ଭାରି ତ ନିରିମଳଟି ,
ଗାଧୁଆ ବେଳେ ପହଁରି ଛୁଉଁ ,
ଗରୁଡ଼ ଖମ୍ବ ଚୂଳଟି ।
ଖରା ବେଳରେ ଗାଧୁଆ ତୁଠ ,
ଲାଗଇ ଖାଆଁ ଖାଆଁଟି,
ଟିକି ଆମ ଗାଆଁଟି ।
ଆମ ଗାଆଁର ଛୋଟିଆ ନଦୀ ,
ଲୋହରାଖଣ୍ଡି ବହେଟି ,
ଚାଷ କାମରେ ସୁଖ ଦୁଃଖରେ ,
ଭରସା ସିଏ ହୁଏଟି ।
ଖରା ଦିନରେ ପିଇବା ପାଣି ,
ଯୋଗାଏ ତା'ର ଚୂଆଁଟି ,
ଟିକି ଆମ ଗାଆଁଟି ।
ଆମ ଗାଆଁର ଦଣ୍ଡ ଯାତରା,
ଚଇତ୍ର ମାସେ ହୁଏଟି ,
ନାଚ ତାମସା ମଜା ମଉଜେ ,
ତମାମ ରାତି ପାହେଟି ।
ଦଣ୍ଡ କାଳିକା ହରଙ୍କୁ ଧରି ,
ବୁଲନ୍ତି ଗାଆଁ ଗାଆଁଟି ,
ଟିକି ଅମ ଗାଆଁଟି ।
ଛୋଟିଆ ସିନା ଗାଆଁଟି ଆମ ,
ମଣିଷ ତା'ର ଭଲଟି ,
ସହାନୁଭୂତି ବ୍ୟବହାରରେ ,
ନ ଥଏ କିଛି ଭେଲଟି ।
ଜନ ମଙ୍ଗଳ କାମକୁ କରି ,
ରଖିବା ତା'ର ନାଆଁଟି ,
ଟିକି ଆମ ଗାଆଁଟି ।
