ସ୍ପର୍ଶ
ସ୍ପର୍ଶ
ମାଆ କୋଳ ସ୍ପର୍ଶ ପାଇଁକି ଶିଶୁ ହୁଏ ଉଚ୍ଛନ୍ନ
ମେଘର ପରଶ ପାଇଁକି ଖରେ ଧାଏଁ ପଵନ ।
ସାଗର ପରଶ ପାଇଁକି ଉତ୍କଣ୍ଠିତା ତଟିନୀ
ସ୍ୱାତୀ ବର୍ଷା ସ୍ପର୍ଶ ପାଇଁକି ଶୁକ୍ତି ଅନୁବ୍ରତିନୀ ।
ଭଗବତ ସ୍ପର୍ଶ ନିମିତ୍ତ ଭକ୍ତ ହୁଏ ପାଗଳ
ପାବକର ସ୍ପର୍ଶ ନିମିତ୍ତ ବ୍ୟଗ୍ର ପତଙ୍ଗ ଦଳ ।
ଜୋଛନା ପରଶ ପାଇଁକି ଚକ୍ରବାକ ବିକଳ
ସୌର କର ସ୍ପର୍ଶ ପାଇଁକି ଆକୁଳିତା କମଳ ।
ଚନ୍ଦ୍ରିକା ଚୁମ୍ବନ ପାଇଁକି କୁମୁଦିନୀ ଅଧୀର
ବସନ୍ତ ପରଶ ନିମିତ୍ତ ପିକ ହୁଏ ଅସ୍ଥିର ।
ରାଇ ଅଙ୍ଗ ସ୍ପର୍ଶ ପାଇଁକି ବାଇ କୃଷ୍ଣ ସୁନ୍ଦର
ବରଷା ପରଶ ପାଇଁକି ରସା ରସାଣତର ।
କାକର ପରଶ ପାଇଁକି ତୃଣରାଜି ତତ୍ପର
ଚୁମ୍ବକ ବିଷମ ମେରୁର ଆକର୍ଷଣ ପ୍ରଖର ।
ନାରୀ ପୁଂସ ସ୍ପର୍ଶ ପାଇଁକି ପରସ୍ପର ଆତୁର
ତୁଳସୀ ଦୟଣା ପରଶ ପାଇଁ କଳା ଠାକୁର ।
ପରଶମଣିର ପରଶେ ଲୁହା ହୁଏ ସୁବର୍ଣ୍ଣ
କାଚ କାଞ୍ଚନର ପରଶେ ଧରେ ମର୍କତ ବର୍ଣ୍ଣ ।
ସାଧୁ ପରଶରେ ଅସାଧୁ ହୋଇଯାଏ ସଜ୍ଜନ
ରାଘବ ଚରଣ ସ୍ପର୍ଶରେ ଶିଳା ନାରୀ ରତନ ।
ମାଧବ ଶ୍ରୀକର ସ୍ପର୍ଶରେ କୁଜି ବିଶ୍ୱ ସୁନ୍ଦରୀ
ନିମ ପାଲଟଇ ଚନ୍ଦନ ମଳୟ ସ୍ପର୍ଶାଦରି ।
ନଳ କରସ୍ପର୍ଶେ ଭାସିଲା ସିନ୍ଧୁ ଜଳେ ପଥର
ରାମକର ସ୍ପର୍ଶେ ପାଇଲା ହନୁ ବଳ ପୂର୍ବର ।
କ୍ରୋଧର ପରଶେ ମାନବ ଜ୍ଞାନ ହୁଏ ବିନାଶ
ବିଭୁ କୃପା ସ୍ପର୍ଶ ନିମନ୍ତେ ଜଗା କରିଛି ଆଶ ।