ସ୍ପର୍ଶ
ସ୍ପର୍ଶ
ମାଆର ମମତା ର ସ୍ପର୍ଶରେ
ସତେକି ଥାଏ କାଉଁରୀ କଳା,
ସବୁ ଅଳି ଅଝଟ, ରାଗ ରୁଷାକୁ
ଦାଣ୍ଡ ଧୂଳି ପରି ଝାଡି ଦେବା ପାଇଁ!!
ବାପାଙ୍କ ଟାଣୁଆ ହାତର ସ୍ପର୍ଶରେ
ଭାରିଯାଏ ଦେହରେ ସାହସର ଜୁଆର,
ଦୁନିଆ ଦାଣ୍ଡରେ ମଠ ଟେକି ଚାଲିବା ପାଇଁ!!
ଭଉଣୀର ସ୍ନେହ ପରଶରେ,
ସବୁ ମାନ ଅଭିମାନ ଦୂର ହୋଇଯାଏ,
ଓଠରେ ଛୋଟ ହସଟିଏ ଖେଲିଯାଏ!!
ବନ୍ଧୁର ସ୍ପର୍ଶରେ ଏକୁଟିଆ ଚଲା ପଥ
ସହଜ ହୋଇଯାଏ ,
ହାତରେ ହାତ ମିଳାଇ ଲକ୍ଷ୍ୟ ଦିଗରେ!!
ପ୍ରେୟସୀ ର ସେଇ କିମିଆଁ ସ୍ପର୍ଶରେ
ରୋମାଞ୍ଚିତ ହୋଇ ଉଠେ ତନୁ ମନ,
ଶିହରିତ ହୋଇଯାଏ ହୃଦୟ କନ୍ଦର
ପ୍ରେମ ପ୍ରଣୟର ଅବିରତ ବର୍ଷାରେ!!