STORYMIRROR

Jayashree Das

Inspirational

4  

Jayashree Das

Inspirational

ମିଳନର ପର୍ବ ହୋଲି

ମିଳନର ପର୍ବ ହୋଲି

1 min
293

ମିଳନର ପର୍ବ ଜାଗୃତିର ପର୍ବ,

   ସଦଭାବନା ପର୍ବ ହୋଲି

ହୃଦୟେ ଝରଇ ପ୍ରୀତିର ମହ୍ଲାର,

   ପର ଆପଣାର ଭୁଲି ।


ମଳୟ ସମୀରେ ଆମ୍ବ ବଉଳରେ,

   ପିକ କୁହୁ ତାନେ ଆସେ

ଚୈତ୍ର କୃଷ୍ଣପକ୍ଷ ପ୍ରତିପଦା ଦିନ,

   ପ୍ରୀତି ପ୍ରୀତି ଖାଲି ବାସେ ।


ନବ କିଶଳୟ ମଞ୍ଜୁଳ ସୁମନେ,

    ସାତ ରଙ୍ଗ ମାଧୁର୍ଯ୍ୟରେ

ମଧୁର ମୂର୍ଚ୍ଛନା ଅବିର ରଙ୍ଗରେ,

   ଭାଈଚାରା ମନେ ଭରେ ।


ଏକ ହୁଏ ମନ ଏକଇ ଭାବନା,

   ଭାତୃଭାବ ମନେ ଖେଳେ

ମିଳନର ପର୍ବ ଫଗୁଣ ରଙ୍ଗରେ,

   ପ୍ରେମ ନାଲିରଙ୍ଗ ବୋଳେ ।


ହୋଲି ଆଣିଥାଏ ଖୁସିର ପସରା,

   ମିଳନ ପିୟାସୀ ଫଗୁ

ବର୍ଣ୍ଣ ମହୋତ୍ସବ ଫୁଲର ରୋଷଣୀ,

   ଝରେ ଧରାଣୀର ଅଙ୍ଗୁ ।


ପ୍ରେମରେ ଅଧୀର ରଙ୍ଗରେ ବିଭୋର,

    ପ୍ରକୃତିର ଦିବ୍ୟ ଅଙ୍ଗ

ନବୀନ ଉଲ୍ଲାସେ ବସନ୍ତ ବିଳାସେ,

    ଲଭିବାକୁ ପ୍ରିୟ ସଙ୍ଗ ।


ସତ୍ୟରୁ ତ୍ରେତୟା ଦ୍ୱାପରରୁ କଳି,

   ରଙ୍ଗେଈ ହୋଇଛି ହୋଲି

ଜାଗ୍ରତ କରିଛି ସୁପ୍ତ ଆତ୍ମାକୁ,

   ଚେତନାର ରଙ୍ଗ ବୋଳି ।


ସତ୍ୟରେ ହୋଲିକା ଦହନ ହୋଇଛି,

   ରକ୍ତଜବା ହୋଲି ଖେଳି

ତ୍ରେତୟାରେ ରାମ ଦୁର୍ଗାଙ୍କୁ ପୂଜିଲେ,

   ଶତ୍ରୁ ଲହୁ ହେଲା ହୋଲି ।


ଦ୍ୱାପରେ ଶ୍ରୀକୃଷ୍ଣ ମେଷlଶୁର ମାରି,

    ରକ୍ତ ପିଚକାରୀ ଧରି

ଅଧର୍ମ ଉପରେ ଧର୍ମର ବିଜୟ,

   ଆନନ୍ଦ ଗୋପ ନରନାରୀ ।


ଶ୍ରୀରାଧା ସୁନ୍ଦରୀ ମଦନ ମୋହନ,

   ଷୋଳଶସ୍ର ଗୋପାଙ୍ଗନା

ସାତରଙ୍ଗ ମାରି ଖେଳିଥିଲେ ଫଗୁ,

   ଭିଜିଥିଲେ କଳାକାହ୍ନୁl ।


ସାତଟି ରଙ୍ଗର ସମାହାର ନୁହେଁ,

   ଭିଜଇ ଶରୀର ଅଙ୍ଗ

 କହ୍ନେଇର ରଙ୍ଗ ଲାଗିଲେ ମନରେ,

   ହୁଅଇ ସେ ଆଠ ରଙ୍ଗ ।


ସବୁ ରଙ୍ଗ ସିନା ଦେହରୁ ଛାଡଇ,

   ଛାଡେନି ମୋହନ ରଙ୍ଗ

ମୋହିନୀ ରଙ୍ଗରେ ଆତ୍ମା ରଙ୍ଗିଯାଏ,

   ଲଭିବାକୁ ଶ୍ୟାମ ସଙ୍ଗ ।


ଅନ୍ତର ଚେତନା ବିକଶିତ ହୁଏ,

   ଭକ୍ତିରଙ୍ଗ ମାଖି ହେଲେ

ରାଧାତତ୍ତ୍ୱ ନେଇ ଦିବ୍ୟ ଦୃଷ୍ଟିରେ,

   ମାଧବଙ୍କୁ ଚାହିଁଦେଲେ ।


ମନ ଯଜ୍ଞଶାଳା ଧୂମାୟୀତ୍ୱ ହୁଏ,

   ରାଧା କୃଷ୍ଣ ଭାବ ହେଜି

ଗୋଲାପି ଗୋଲାପି ଫଗୁଣ ମାସରେ,

   ଗୋପୀ ମନୋଭାବେ ମଜ୍ଜି ।


ପବିତ୍ର ଭାବନା ମୈତ୍ରୀ ସଦଭାବନା,

   ପର୍ବ ହୋଲି ଜାଗୃତିର

ଦିବ୍ୟତ୍ୱ ପ୍ରକାଶ ଏ ମଧୁମାସରେ,

   ପ୍ରୀତିରାଜ ଫାଲ୍ଗୁନର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational