ପାର୍ବଣରେ ମା
ପାର୍ବଣରେ ମା
ମା ମା ବୋଲି ଆକୁଳେ ଡାକୁଛି
ଶୁଣ ନାହିଁ କାଇଁ ବାରେ,
କି ପାପ କରିଛି ଏ ଛାର ମାନବ
କହିଦେ ମା ଆଜି ଥରେ ।
ଧରା ଆଜି ପାପ ଭାରରେ ବୁଡ଼ିଛି
ଅସତ୍ୟ ଖେଳୁଛି ଖେଳ,
ଚାରିଆଡେ ଶୁଭେ ହା ହା କାର ଏଠି
ଖରାପ ପଡ଼ିଛି ବେଳ ।
ମହାମାରୀ ଆଜି କାୟା ବିସ୍ତାରି
ରଚୁଛି ତାଣ୍ଡବ ଲୀଳା,
ପୋକ ମାଛି ପରି ଲୋକ ମରୁଛନ୍ତି
ବୁଡୁଛି ସଭିଙ୍କ ଭେଳା ।
ପାର୍ବଣ ଋତୁରେ ଅବତରି ମାଆ
ଏ ଭୂମିକୁ ପବିତ୍ର କର,
ରୋଗ ଦୁଃଖ ଶୋକ ନିପାତ କରି
ଜଗତ ବାସୀଙ୍କୁ ଉଦ୍ଧାର ।
ମନେ ଭରିଦିଅ ଶାନ୍ତି ପବିତ୍ରତା
ପାପ କଳୁଷ ଯାଉ ଧୋଇ,
ଜଗତ ଜନନୀ ତୁହି ମା ଦୁର୍ଗା
ମହିଷା ମର୍ଦ୍ଦିନୀ ହୋଇ ।
କାଶତଣ୍ଡିର ଧବଳ ବନରେ
ଶୋଭା ପ୍ରକୃତିର ଘର,
ଶରତ ଜ୍ୟୋସ୍ନାରେ ଉଦ୍ଭାସିତ ଆଜି
ପୁଷ୍କରିଣୀର ନୀର ।
ନାରୀ ଶକ୍ତିର ଆଧାର ତୁମେ
ଅବଳାକୁ କର ସବଳା,
ମନେ ଭରିଦିଅ ଶତ ସିଂହ ବଳ
ନାରୀ ନ ହେଉ ଦୁର୍ବଳା ।
ମନେ ଭକ୍ତି ଭରି ତୋରି ଚରଣେ
କରୁଛୁ ଆଜି ଗୁହାରି,
ହିଂସା, କ୍ରୋଧ, ଦ୍ୱେଷ ଦୂର ମାଆ
ନାଶି ମନର ଅଇରି ।
ଆଶିଷ ଦିଅ ମା ତୁମରି ହସ୍ତରୁ
ସ୍ନେହ ମମତା ଢାଳି,
ମନେ ଦୟା ଭରି ପୂର୍ଣ୍ଣକର ବାରେ
ଅଝଟ ସନ୍ତାନ ଅଳି ।।