ସ୍ପର୍ଶ
ସ୍ପର୍ଶ




ମୋ ଜୀବନର ଅପରାହ୍ନରେ ତୁମ ସ୍ପର୍ଶ ଥିଲା
ଦରଦୀ ବୁକୁରେ ଆବେଗର ବିଳାପ
ଥରିଲା ଓଠରେ ରୋମାଞ୍ଚର ବିଳାପ
ପ୍ରାକ ମୌସୁମୀର ଧଳା ସାଲରେ ଭିଜି ଭିଜି
ଅନୁଭବ କରୁଥିଲି ହୃଦୟ ମଧ୍ୟରେ କଅଁଳୁଥିବା ଆଶାକୁ
ମୋ ମନର ଉପକୂଳରେ ଲହଡି ଭାଙ୍ଗୁଥିଲା ଖୁସି
ପ୍ରମତ୍ତ ପାଲଟିଥିଲି ଅଦମ୍ୟ ଇଚ୍ଛାରେ
ହୃଦୟ ମଧ୍ୟରେ ଉଙ୍କି ମାରୁଥିଲା ଅନେକ ନିରବ ସଂଳାପ
ନୂତନତାର ନୂତନ ଅନୁଭବ, ନୂଆ ସଂଚରଣ
ତୁମ ସ୍ପର୍ଶରେ ମୁଁ ଥିଲି ମନ୍ତ୍ରମୁଗ୍ଧ, ସ୍ୱପ୍ନରେ ମଗ୍ନ
ମାତ୍ର ତୁମେ ପାଲଟିଗଲ ଏକ ତିକ୍ତ ଅତୀତ
ତୁମ ଲାଞ୍ଛିତ ପ୍ରତିଶ୍ରୁତିମାନ ପାଲଟିଗଲା
କ୍ଷତାକ୍ତ ହୃଦୟରେ ନବରଚିତ ଇତିହାସଟିଏ |