ସ୍ପର୍ଶ ବନ୍ଦୀ
ସ୍ପର୍ଶ ବନ୍ଦୀ
ମଣିଷ ହୋଇ ବି ଆଜି ଯନ୍ତ୍ରବତ୍ ବନ୍ଦୀ
ବଦଳେଇ ଚାଲିଛି ଜୀବନ ଶୈଳୀ,
ପ୍ରତି ପାଦରେ ଯନ୍ତ୍ର ଅନୁରାଗ ;
ମୋହ ର ମାଦକତା ରେ ଆଧୁନିକତା ର ସ୍ପର୍ଶ ।
ସେ ଆଖିରୁ କ'ଣ ଭାଷା ପଢ଼ି ହୁଏ ,
ଲୁହ ର ଉପସ୍ଥିତି କଣ ସ୍ପଷ୍ଟ ବାରିହୁଏ ?
ସୁଖ ସମୃଦ୍ଧି ପାଇଁ ଭେଟି ପଡେ ମଣିଷ
ସୁଖ ର ମାପକାଠି ପାଇଁ ତ ଯନ୍ତ୍ରମାନବ ର ସୃଷ୍ଟି ।
ସତରେ କଣ ନିଜ ଛଡା ଅନ୍ୟ କେହି ବୁଝି ପାରିବେ
ସମ୍ପର୍କ ର ନିରୀହ ପଣ କୁ ?
ନା ଛୋଟ ଛୋଟ ଖୁସିରେ ଆତ୍ମହରା ହେବାର ପାଗଳାମି ।
ସହଜ ପଣ ତ କିଛି କ୍ଷଣ ର,
ଧୀରେ ଧିରେ ଏକଲାପଣ ର ବହଳିଆ ଚାରି କାନ୍ଥ
ଆଉ ତା ଭିତରେ ବନ୍ଦୀର ମାନସିକ ନିସଂଗତା ;
ଘର ବାହୁଡ଼ା ବେଳେ ଯନ୍ତ୍ରାଂଶ ର ଉପଦ୍ରବ
ଭୀଷଣ କଷ୍ଟ ହେବା ମଧ୍ୟ ନିର୍ଦ୍ଧାରିତ ସେ ମୋହଭଙ୍ଗ ଛଳନା ଚରିତ୍ର ର ଅଦୃଶ୍ୟ ଫାଶରୁ ।
ଦୁନିଆ ର ଚିକମିକ୍ ଭିଡରେ ବି ସାଥେ ସାଥେ ଥାଏ,
ଅପ୍ରକାଶ୍ୟ ପରାମର୍ଶ ଦାତା ର ପରିଚୟରେ
ଭିଡ଼ି ଆଣେ ଗଣ୍ଡା ଗଣ୍ଡା ସହୃଦୟତା ର ଚେହେରା ;
ନିଜର ଅବାକ୍ ପଣିଆ ବି କେବେ ହସର ଖୋରାକ ସାଜେ ।
ମଣିଷ ର ମାନସ ସନ୍ତାନ,
ଚାବି ମୋଡିବାର କୌଶଳ ରେ ସିଦ୍ଧହସ୍ତ
ସ୍ରଷ୍ଟା କୁ ଦୁର୍ବଳ କରି ପାରିବେନି କେହି
ସ୍ପର୍ଶ ରହୁ କେବଳ,
ଉନ୍ନତ ମାନବ ସଭ୍ୟତା ପରିକଳ୍ପନା ରେ ସୀମିତ ।
ଯନ୍ତ୍ର ସ୍ପର୍ଶ ଗର୍ବ ଆଣୁ,
ଗୌରବ ରେ ସହଭାଗୀ ହେଉ
ମଣିଷ ଚିନ୍ତା ଚେତନା ଶକ୍ତି ପରିବ୍ୟାପ୍ତ ହେଉ
ସମଗ୍ର ବିଶ୍ବ ଏକାକାର ହେଉ ନୂତନତ୍ବ ର ପରିଭାଷା ରେ ।।
