ସ୍ପନ୍ଦନ ସତ୍ତା
ସ୍ପନ୍ଦନ ସତ୍ତା
ବଞ୍ଚିବାର ତାଳେ ତାଳେ
ଅସନ୍ତୋଷ ର ତାଡନା
ଭାଵନାର ଅସଂଖ୍ୟ ଅଡୁଆ ସୂତାରେ
ଛନ୍ଦିହୋଇ ଚାଲିଥିବା ସ୍ପନ୍ଦନ ହିଁ ଜୀବନ
ଶାନ୍ତିର ଅପହଞ୍ଚ ଦୂରେ
ଅବସୋସର ପ୍ରହାର ଖାଇ
ନିରାଶା ଚକିରେ ପେଶିହୋଇ
ଆଗେଇ ଯିବା ଯାତ୍ରା
କି ଆଉ ଜୀବନ ?
ଅବାଧ୍ୟ ଅମାନିଆ ସ୍ପନ୍ଦନଗୁଡା
ମୃତସତ୍ତା ଭଳି ,ସରି ସରି ଯାଉଛନ୍ତି
ଜୀବନର ହିସାବୀ ପୋଥିରୁ
କେତେ ଯେ ବେହିସାବ ହେଲେଣି
ଆଉ କେତେ ସରିବାକୁ ବାକି ଅଛି
ହେଲେ କଣ ବୁଝିହୁଏ
ଜୀବନ ର ସଂଜ୍ଞା ?
ଭୋଗ ବିଳାସ ମନ
ଶୂନ୍ୟତା ପଛେ ଧାବମାନ
ଜଡତା କଳିକଳୁଷରେ ଭରି
ସୁଖ ଲାଳସାର ଦୁର୍ବାର ଚେଷ୍ଟାରେ ଚେଷ୍ଟିତ
କସ୍ତୁରୀ ମୃଗ ସୁବାସ ଖୋଜିବା ଭଳି
ଏ ମନ ସଦା ଶାନ୍ତି ପଛେ ଦୈାଡେ
ନିଜ ଭିତରେ ଥିବା ସତ୍ତାକୁ ଛାଡି
କେବେ କିଛି ପାଏ ତ
କେବେ ଶୂନ୍ୟହସ୍ତା
ଉତ୍ଥାନ ପତନର ସମାନ୍ତରାଳେ
ଭାସମାନ ଏହି ପ୍ରାଣସତ୍ତା
କେବେ ଦୁଃଖ ତ କେବେ ସୁଖ
କେବେ କାନ୍ଦ ତ କେବେ ହସ
ଏମିତି ଅସଂଖ୍ୟ ସ୍ଥିତିକୁ
ସାମ୍ନା କରି ଆଗଉଥିବା
ଜୀବନ୍ତ ଜୀବଟିଏ କି ଆଉ ଜୀବନ ?