STORYMIRROR

Prafulla Chandra Mishra

Inspirational Others

3  

Prafulla Chandra Mishra

Inspirational Others

ସପନ

ସପନ

2 mins
13.6K


ଦୁନିଆ ଭିତରେ ଖୋଜୁଛି ଆଜି ମୁଁ ଟିକିଏ ଆନନ୍ଦ ହସ

କାହିଁ ସେ ଆନନ୍ଦ କାହିଁ ଆଉ ହସ ଉଠେ ଲୁହର ଉଚ୍ଛ୍ୱାସ

ଦୁଃଖ ବିରାଜିତ ସୁଖ ଏଠି ଲୁପ୍ତ ହସ ତ ସାତ ସପନ

ଆନନ୍ଦ ଉଲ୍ଲାସ ହଜିଗଲା କାହିଁ ବିଭ୍ରାନ୍ତ ଏଠି ଜୀବନ ।।

କୁଢ କୁଢ ଖାଲି ଆବର୍ଜନା ପୂର୍ଣ୍ଣ ବିଷମୟ ବିଷ ବାଆ

ଲହର ଖେଳୁଛି , ନିଃଶ୍ବାସ ଅଟକେ ଛଟପଟ ଖାଲି ଯାହା

ଋତୁ ମାନେ ଆଜି ହଜିଯାଇଛନ୍ତି ମନ ବି ଯାଇଛି ହଜି

ବିକଳ ଜୀବନ ବିକଳ ପରାଣ ହସକୁ ପାଉନି ଖୋଜି ।।

ସୀମାନ୍ତେ ଅରାତି କୁଟ ଚକ୍ରରେ ବାଜଇ ଯୁଦ୍ଧ ଭେରୀ

ମାଓ ତାଣ୍ଡବେ ଅନେକ ଜୀବନ ଅକାଳେ ପଡୁଛି ବଳି

ନିରିହ ରକତ ଧାରରେ ବିଭତ୍ସ ରଙ୍ଗେ ରଙ୍ଗାୟିତ ମହୀ

ଆକୁଳ ବେଦନା କ୍ରନ୍ଦନ ରୋଳ ଆଉ ହେଉ ନାହିଁ ସହି ।।

ସ୍ନେହ,ପ୍ରେମ ସବୁ ସମାଧି ନେଲେଣି ରକ୍ତ ନଦୀ ର କୂଳେ

ବିଭକ୍ତ ହେଉଛି ଜୀବନ ଗଣିତ ଅବିଭକ୍ତ ଭଗ୍ନାଂଶ ରେ

ଆଖି ଆଉ ପାଉନାହିଁ ଯେଉଁ ପଥେ ବିତିଥିଲା ଦିନ ରାତି

ସକାଳ ପାହିଲେ ଭୟର ପାହାଡ଼ ଯେପରି ମାଡ଼ି ବସୁଛି ।।

ଚାଲିବାକୁ ଡର କିଅବା ସାର୍ଦ୍ଦୁଳ ସ୍ବାପଦ କି ମାଳ ମାଳ

ଶୁଭଇ ଫୁତ୍କାର ବିଷଧର ସତେ ହେଲେଣି ଏଠି ପ୍ରବଳ

କଣ୍ଟାଫୁଟା ମନ ରକ୍ତାକ୍ତ ଜୀବନ ନିରାପଦ ବାଟ ଖୋଜେ

ଆଶ୍ରୟ କେ ଦେବ ସର୍ବେ ନିରାଶ୍ରୟ ଦୁଃଖର ଟମକ ବାଜେ ।।

ଚୋର,ତସ୍କର,ଶଠ,ଜୁଆଚୋର,ଧପାବାଜ ମେଳି ହୋଇ

ଲାଗିଛନ୍ତି ଆଜି ଦେଶ ଦୁନିଆକୁ ସତେ ଅବା ଯିବେ ଖାଇ

ରାବଣ,କଂସ ବଂଶଧର ଅବା ଉତ୍ପତ୍ତି ହେଲେଣି ଏଠି

ନାରୀ ନିର୍ଯାତିତା, ଚାବୁକ ପ୍ରହାରେ ଫାଟଇ ନିରୀହ ପିଠି ।।

ଦୁଷ୍କର୍ମ ,ଦୁଃଷଣ ,ଦୁର୍ନୀତି କବଳେ ଜାତି ଆଜି ପରାହତ

ଅସହିଷ୍ଣୁ ପଣେ ଶତ୍ରୁ ହତରେ ବନ୍ଧା ପଡେ ଗଣତନ୍ତ୍ର

ଏବେଳେ ଖୋଜୁଛି ହସ ଆନନ୍ଦକୁ କିଏ କହ ଆଣିଦେବ

ମୋ ସପନ ସତେ, ଭାବୁଛି ଏମିତି ସପନେ କି ରହିଯିବ ।।

କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି ,ଖୋର୍ଦ୍ଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational