ସପନ ତୁମେ କାହିଁକି ଆସ
ସପନ ତୁମେ କାହିଁକି ଆସ
ସପନ ତୁମେ କାହିଁକି ଆସ
କହିବ ଟିକେ ମୋତେ
ପାଇ ତୁମକୁ ହରଷ କେବେ
ଭୟ ଜାଗଇ କେତେ !
ଭାଙ୍ଗିଲେ ନିଦ ତୋଳେ ପୁଲକ
ପୁଣି ଥରଇ ଦେହ
ଏମିତି କିଆଁ ଅଦ୍ଭୂତ ବେଶ
କେବେ ତ ସତ ନୁହଁ ।
ଅବାସ୍ତବର ଦୁନିଆ ତୁମ
ଛାଇ ଆଲୁଅ ଖେଳ
ତୁମ ଇଚ୍ଛାରେ ପରିଚାଳିତ
ଅଶେଷ ରୂପ ଠୁଳ ।
ଅବଚେତନ ଚିତ୍ତରେ ତୁମେ
କରିଥା ନାନା କେଳି
ଶୟନ କାଳେ ରସ ବିରସ
ଭାବ ଖେଳଇ ଦୋଳି ।
କିଆଁ ଏମିତି ମାନବ ଚିତ୍ତେ
ବସାଇ ଦିଅ ମେଳା
ଭଲ ପାଅ କି ବହୁତ ତାକୁ
ରଚିବା ପାଇଁ ଲୀଳା ?
କଳପନାରେ ବିଳାସ କରେ
ଆଗେ ବଢ଼ିବା ପାଇଁ
ଜାଣ କି ତୁମେ ମାନବ ପାଖେ
ସାଜ ପ୍ରେରଣାଦାୟୀ ।
କ୍ଷଣକେ ଗଢ଼ି କ୍ଷଣକେ ଭାଙ୍ଗ
ଏମିତି କିଆଁ ଭାବ
ଜାଗିଲେ ଚିତ୍ତ ଭାବି ହୁଅଇ
ତୁମଠୁ କେଉଁ ଲାଭ ?
ପ୍ରଶ୍ନ ମୋହର ଅସମାହିତ
ନ ପାଇଲେ ଉତ୍ତର
ସପନେ ଆସି ବତାଇ ଦିଅ
କିପରି କାରିଗର ?
କଳପନାରେ ବିଳାସ କର
ଆଗେ ବଢ଼ିବା ପାଇଁ
ଜାଣ କି ତୁମେ ମାନବ ପାଖେ
ସାଜ ପ୍ରେରଣାଦାୟୀ ।
