ସ୍ଵପ୍ନ ସବୁ ସରିଗଲା ପରେ
ସ୍ଵପ୍ନ ସବୁ ସରିଗଲା ପରେ
ସ୍ଵପ୍ନ ସବୁ ସରିଗଲା ପରେ
ବାଟବଣା ହୁଏ କାଶତଣ୍ଡୀ ଆଶ୍ୱିନ ଶେଷରେ
ନଈଟା ଅଳସୀ ହୋଇ ଶୋଇଯାଏ ଅଧା ଶଯ୍ୟା ପରେ
ଆକାଶ ବି ସାଉଁଟି ବସେ ମାଟିର ଛାତିରୁ
ଜୀଇଁବା ର ବତୁରାପଣକୁ
ସ୍ଵପ୍ନ ସବୁ ସରିଗଲା ପରେ।
ତାରା ମାନେ ଖସି ପଡ଼ନ୍ତି ନିରର୍ଥକ ହୋଇ
ନ ଖେଳାଇ କା ଛାତିରେ ଆଶାର କମ୍ପନ
ଜହ୍ନ ତା ରୂପେଲି ଛାଡ଼ି ଲୁଚିଯାଏ ବାଦଲ ଉହାଡେ
ଭାବପ୍ରବଣ ହୁଏନା ଯେବେ କେଉଁ କୁଆଁରୀର ମନ
ରାତି ବି ସକାଳର ମୋହ ତ୍ୟାଗ କରି
ଲିପ୍ତ ହୁଏ କେଉଁ ଅନ୍ୟମନସ୍କତାର ଅଜ୍ଞାତବାସ ରେ
ସ୍ଵପ୍ନ ସବୁ ସରିଗଲା ପରେ।
ସହରରେ ମୁଣ୍ଡ ଟେକେନାହିଁ ଅଟ୍ଟାଳିକା ମାନ
କି ଗାଆଁରେ ଫୁଟେନା ପଦ୍ମ ଶୁଷ୍କ ସରସୀରେ
ଜୀବନ ଜୀଇଁବା ଭୁଲି ମରି ବସେ ଦିନ ଗଣୁ ଗଣୁ
ବାଇ ଚଢ଼େଇ ବସା ଛାଡି ଉଡ଼ିବୁଲେ ଝଡ଼ି ବର୍ଷାଟାରେ।
ଆଉ ବା କାହିଁକି କିଏ ସମ୍ମୋହିତ ଯେବେ ସେ ଦିଗନ୍ତ ରଙ୍ଗରେ
ଯେବେ ପାଦ ମାଟି ପାଖେ ସମର୍ପିତ ହୋଇଯାଏ
ସ୍ଵପ୍ନ ସବୁ ସରିଗଲା ପରେ।