ସଞ୍ଜ ସଭିଙ୍କର
ସଞ୍ଜ ସଭିଙ୍କର
କବିତା - ସଞ୍ଜ ସଭିଙ୍କର
ରଚନା - ପଞ୍ଚାନନ ଜେନା
ତାରିଖ -୨୩-୦୮-୨୦୨୫
++++;++++++++++++
ଜହ୍ନିଫୁଲର ହଲଦୀ ଗୁରୁଗୁରୁ ହସରେ
ସଞ୍ଜ ଆସେ
ଦୀପ ସଳିତାର ମିଞ୍ଜି ମିଞ୍ଜି ଆଲୁଅରେ
ସଞ୍ଜ ଆସେ
ମନ୍ଦିର ଘଣ୍ଟ ଘଣ୍ଟା ଆଳତି ଆରତିରେ
ସଞ୍ଜ ଆସେ
ତୁଳସୀ ଚଉରା ପାଖରେ ଚକାପାରି ବସେ
ଆକାଶ କୋଳରେ
ନାଲି ମୁରୁଜର ଛାଇ ଆଲୁଅରେ
ଲାଜେଇ ମୁରୁକି ହସେ
ନୀଡ଼ ବାହୁଡ଼ା ପକ୍ଷୀ କାକଳୀରେ
ଡେଣା ଝାଡି ଦେଇ କାଶେ
ଫେରୁଥିବା ଗୋରୁପଲର
ଘର ବାହୁଡ଼ା ଯାତ୍ରାରେ ମିଶେ
ଶଙ୍ଖ ହୁଳୁହୁଳି ଶବଦ କରି
ଘର ଭିତରକୁ ଧସେଇ ପଶେ
ମୋ ପାଇଁ ସଞ୍ଜ ଆସେ ଭିନ୍ନ ଆବେଗରେ
ପ୍ରୀତିମୟ ସୁଧାମୟ ତୁମମୟ ବାଗରେ
ପାଲଟା ଲୁଗାର ଭୁରୁ ଭୁରୁ ବାସ ସୁବାସରେ
ମୁଣ୍ଡ ଓଢ଼ାଣୀରେ ସଧବା ଚାହାଁଣୀରେ
ସ୍ମୃତି ଫୁଲରେ ଗୁନ୍ଥା ସାଇତା ମନ ସବାରୀରେ
ଅନ୍ଧାର ଛାଇରେ ଛାଇ ଆଲୁଅରେ
ଶେଷ ଶ୍ରାବଣର ଟପ୍ ଟପ୍ ସ୍ୱର ତାଳରେ
ଉଦାସୀ ମନ ମୁରୁଜରେ ଦରଦୀ ଛାତି କନ୍ଦରରେ
ଗୁମ୍ ସୁମ୍ ଭାବ ତରଙ୍ଗରେ ଝମ୍ ଝମ୍ ବର୍ଷା ବର୍ଣ୍ଣାଳୀରେ ବ
ବିରହୀ ପ୍ରାଣସତ୍ତାରେ ଆଶାୟୀ ଅସ୍ପଷ୍ଟ ଚିତ୍ରକଳ୍ପରେ
ପିଣ୍ଡାରେ ବସିଥିଲେ ବୃଦ୍ଧ ବାପା - ଶ୍ବଶୁର
ପଢୁଥିଲେ କିଛି କବିତା ଶରଦୀୟ ପତ୍ରିକାର
ସଞ୍ଜ ସଭିଙ୍କର
ସଭିଙ୍କପାଇଁ ସଞ୍ଜ ବି ମୁଖର ତତ୍ପର
ବୟସ ଗଡିଗଲେ ବଢିଗଲେ
ଅପରାହ୍ନର ଅର୍ଗଳି ପାରିଗଲେ
ନଇଁ ନଇଁ ଆସେ ସଞ୍ଜ ଶେଷ ଦୃଶ୍ୟ ଜୀବନର
ସେହି ଶେଷ ସଞ୍ଜପାଇଁ ଯେମିତି
ଚାହିଁ ବସିଛି ବିକଳ ବିଚରା ମଣିଷ ଯୁଗରୁ ଯୁଗାନ୍ତର
ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୁଦ୍ଧ ଯୋଜନା ନାହିଁ ପଟାନ୍ତର
ମୁକ୍ତି ପାଇଁ ଖୋଜୁଛି ଛାଡିବାକୁ
ଶେଷ ନିଃଶ୍ୱାସ ପ୍ରଶ୍ଵାସ ନିରନ୍ତର
ନାହିଁ କଳୁଷ ଅବଶୋଷ ବିକ୍ଷୋଭ ପ୍ରଦର୍ଶନ ଏଥର
ସ୍ଵର୍ଣ୍ଣାଭ ଶେଷ ଅଙ୍କ ଜୀବନର
ସୁଖାନ୍ତକ ନାଟକ ମଞ୍ଚସ୍ଥ ହେଉ ଶେଷ ସଞ୍ଜର
କାଳ କାଳକୁ ରହୁ ଅଲିଭା ପଦଚିହ୍ନର ସ୍ଵାକ୍ଷର
