ସଞ୍ଚୟ
ସଞ୍ଚୟ
ସେ ସବୁବେଳେ ସବୁକଥା ସଞ୍ଚେ
ପିମ୍ପୁଡ଼ି ଭଳି ଧନ ଆଉ ସମ୍ମାନ
ଆଗତ ଯୁଗ ଯୁଗ ପାଇଁ ।
ଏ ସଞ୍ଚିବାର ପ୍ରବୃତ୍ତି
ତା'ର ଅସ୍ଥି ମଜ୍ଜାଗତ ।
ତେଣୁ ସେ ଜାଣ ଅଜାଣତରେ
ଅହରହ ସଞ୍ଚୁଥାଏ ।
କାଲି ପାଇଁ ଆଜିକୁ ସଞ୍ଚେ ,
ଆଜି ପାଇଁ ଏବେକୁ ।
କାଲି ସକାଳେ ଠାକୁର ପୂଜା ପାଇଁ
ଆଜିର ଫୁଲ କଢକୁ ଗଛରେ ସଞ୍ଚେ ।
ଭୋଜିଭାତ , ବନ୍ଧୁଘର ଯିବ ବୋଲି
ଇସ୍ତ୍ରୀକରା ପ୍ୟାଣ୍ଟ୍ ସାର୍ଟକୁ ସଞ୍ଚେ ।
ଜୀବନ ବୀମା ନେଇ
ଜନ୍ମି ନଥିବା ଛୁଆଙ୍କ
ଭବିଷ୍ୟତ ସୁରକ୍ଷା ସଞ୍ଚେ ।
ଉଚ୍ଚ ଆସନ ପାଇଁ ତେଲ
ଆଉ ଲାଞ୍ଚ ବଦଳେ
ବଡ଼ ଅଫିସରଙ୍କ ଆଶିଷ ସଞ୍ଚେ ।
ମିଛ ଆଦର ଦେଇ ବଡ଼ଙ୍କ ବିଶ୍ୱାସ ,
ସାନର ଆଜ୍ଞାଧୀନତା ସଞ୍ଚେ ।
ତା ପାଇଁ ଜୀବନଟା ଖାଲି ସଞ୍ଚିବା ,
ସଞ୍ଚିବା ମାନେ ହିଁ ଜୀବନ ।