ସନ୍ତାନ
ସନ୍ତାନ
ଆଠ ବରଷର ଛୋଟ ପିଲାଟିଏ
କହେ ଯାଇ ଦୋକାନୀକୁ ,
ଟଙ୍କାଟିଏ ନେଇ ପାରିବକି ଦେଇ
ତୁମେ ମୋତେ ଈଶ୍ଵରଙ୍କୁ ।
କହେ ସେ ଦୋକାନୀ ଆମ ଦୋକାନରେ
ଈଶ୍ଵର ମିଳନ୍ତି ନାହିଁ ,
ଏମିତି ଅନେକ ଦୋକାନରୁ ସିଏ
ଫେରିଲା ନିରାଶ ହୋଇ ।
ଶେଷରେ ପହଞ୍ଚେ ଯେଉଁ ଦୋକାନରେ
ପଚାରନ୍ତି ଜଣେ ବୃଦ୍ଧ ,
କିପାଇଁ ଈଶ୍ଵର ଦରକାର କୁହ
ଫିଟାଅ ମୋ ମନୁ ଦ୍ବନ୍ଦ ।
କହେ ସେ ବାଳକ ମାଆ ବିନା ମୋର
ସଂସାରରେ ନାହିଁ କେହି ,
ଡ଼ାକ୍ତର କହନ୍ତି କେବଳ ଈଶ୍ଵର
ମା'କୁ ପାରିବେ ବଞ୍ଚାଇ ।
ଅବୋଧ ବାଳକ କଥା ଶୁଣି ବୃଦ୍ଧ
ଏକ ଗ୍ଲାସ ପାଣି ଦେଇ ,
କହିଲେ ଏ ପାଣି ପିଇଦେଲେ ତୁମ
ମାଆ ଯିବେ ଭଲ ହୋଇ ।
ତହିଁ ପରଦିନ ବଡ଼ ଧରଣର
ହୋଇଲା ଅସ୍ତ୍ରୋପଚାର ,
ସୁସ୍ଥ ହେବାପରେ ଦେଖି ଖର୍ଚ୍ଚ ଚିଠା
ହଂସା ଉଡଇ ମାଆର।
କହନ୍ତି ଡ଼ାକ୍ତର ହୁଅନାହିଁ ବ୍ୟସ୍ତ
ବୃଦ୍ଧ ଜଣେ ଆସିଥିଲେ ,
ଚିଠା ମୁତାବକ ଟଙ୍କା ଦେବାସହ
ଚିଠିଟିଏ ଦେଇଗଲେ ।
ପଢ଼ିଲେ ଚିଠିକୁ ଲେଖାଅଛି ତହିଁ
ଧନ୍ୟବାଦ ମୋତେ ନୁହଁ ,
ତୁମ ସନ୍ତାନ ଯେ ତା'ର ଅଧିକାରୀ
ତାକୁ ଧନ୍ୟବାଦ ଦିଅ ।
ନିଷ୍ପାପ ଶିଶୁର ଅତୁଟ ବିଶ୍ଵାସ
ବଞ୍ଚାଇଲା ପ୍ରାଣ ତୁମ ,
ଈଶ୍ଵର ତା'ପାଇଁ ସବୁ କରିଗଲେ
ମୁଁ ତ କେବଳ ମାଧ୍ୟମ ।
ମାତା ପିତା ପ୍ରତି ସନ୍ତାନର ଯେବେ
ଥିବ ମମତାର ଭାବ ,
ଏମିତି ବିପଦେ ସେ ପିଲାକୁ କେବେ
ହେବନି ଅର୍ଥ ଅଭାବ ।