ସଂସାର
ସଂସାର
ମୁଖ ନିସୃତଃ କବିତା – ସନ୍ଥ କବୀର ଦାସ
ଅନୁବାଦ – ଡଃ ସୁବାସ ଚନ୍ଦ୍ର ରାଉତ
ଏହି ଆମର ପ୍ରିୟ ସଂସାର, ଯେମିତି ସେମାଳ ଫୁଲ,
ଦଶ ଦିନର ବ୍ୟବହାରର ମିଥ୍ୟା ରଙ୍ଗରେ ନ ଭୁଲ ।
କଜ୍ଜ୍ୱଳ ବୋଳା କୋଠରୀ ସମ, ଆମର ଏହି ଦୁନିଆ,
ଅଭିନନ୍ଦନ ସେହି ସାଧୁଙ୍କୁ, ହୁଏନି ଯିଏ କାଳିଆ ।
ମୋର ତୋରର ଡୋରରେ ବନ୍ଧା, ବଳି ନିମନ୍ତେ ସଂସାର,
ଆତ୍ମୀୟ ଭାବ ପୀଡ଼ା କାରଣ, ଜଳୁଥାଏ ବାରମ୍ବାର ।
ସାଧୁଙ୍କ ପୂଜା ଯେ ଘରେ ନାହିଁ, ଠାକୁରଙ୍କ ସେବା ନାହିଁ,
ସେହି ଘରଟି ମଶାଣି ସମ, ଭୂତ ବସା କରେ ତହିଁ ।
ଦେହ ଧରିଲେ ଦଣ୍ଡ ହିଁ ମିଳେ, ସମସ୍ତଙ୍କୁ ପ୍ରାପ୍ତ ହୁଏ,
ଜ୍ଞାନୀ ଭୋଗନ୍ତି ଜ୍ଞାନ ସକାଶେ, ମୂର୍ଖ କାନ୍ଦ ପ୍ରାପ୍ତ ହୁଏ ।
ସାଧୁଙ୍କ ମନ ସଂଯୋଗ ହୀନ, ଗୃହସ୍ଥ ଚିତ୍ତ ଉଦାର,
ତ୍ୟାଗ କରିଲେ ଏ ସବୁ ଗୁଣ, କ୍ଷତି ହୁଏ ଗୁରୁତର ।
ଯେମିତି ଖାଦ୍ୟ ତୁମେ ଖାଇବ, ସେମିତି ମାନସ ହେବ,
ଯେମିତି ପାନୀୟ ତୁମେ ପିଇବ, କଥା ସେମିତି କହିବ ।
ପୁତ୍ରର ପ୍ରିୟ ପିତାର କୋଳ, ବିପଦେ ଯାଏ ସେ ଧାଇଁ,
ମିଠେଇ ଏକ ହାତରେ ଦେଇ, ସ୍ୱୟଂ ଲୁକ୍କାୟିତ ହୋଇ ।
ତୁମେ ଭାବୁଛ ଏ ଛାର ଗୀତ, କିନ୍ତୁ ଏ ବ୍ରହ୍ମ ବିଚାର,
କହି କେବଳ ବୁଝଉ ଅଛି, ଏହା ଆତ୍ମ ଜ୍ଞାନ ସାର ।
କହି ଯାଉଛି କହିବି ମଧ୍ୟ, ବଜେଇ ବଜେଇ ଢୋଲ,
ଶ୍ୱାସ ତୋହର ଖାଲି ଯାଉଛି, ତିନି ଲୋକରେ ଅମୁଲ ।