STORYMIRROR

Dr Subas Chandra Rout

Classics Others

3  

Dr Subas Chandra Rout

Classics Others

ସଂସାର

ସଂସାର

1 min
202

ମୁଖ ନିସୃତଃ କବିତା – ସନ୍ଥ କବୀର ଦାସ

ଅନୁବାଦ – ଡଃ ସୁବାସ ଚନ୍ଦ୍ର ରାଉତ


ଏହି ଆମର ପ୍ରିୟ ସଂସାର, ଯେମିତି ସେମାଳ ଫୁଲ, 

ଦଶ ଦିନର ବ୍ୟବହାରର ମିଥ୍ୟା ରଙ୍ଗରେ ନ ଭୁଲ ।

କଜ୍ଜ୍ୱଳ ବୋଳା କୋଠରୀ ସମ, ଆମର ଏହି ଦୁନିଆ,

ଅଭିନନ୍ଦନ ସେହି ସାଧୁଙ୍କୁ, ହୁଏନି ଯିଏ କାଳିଆ ।

ମୋର ତୋରର ଡୋରରେ ବନ୍ଧା, ବଳି ନିମନ୍ତେ ସଂସାର, 

ଆତ୍ମୀୟ ଭାବ ପୀଡ଼ା କାରଣ, ଜଳୁଥାଏ ବାରମ୍ବାର ।

ସାଧୁଙ୍କ ପୂଜା ଯେ ଘରେ ନାହିଁ, ଠାକୁରଙ୍କ ସେବା ନାହିଁ, 

ସେହି ଘରଟି ମଶାଣି ସମ, ଭୂତ ବସା କରେ ତହିଁ ।

ଦେହ ଧରିଲେ ଦଣ୍ଡ ହିଁ ମିଳେ, ସମସ୍ତଙ୍କୁ ପ୍ରାପ୍ତ ହୁଏ,

ଜ୍ଞାନୀ ଭୋଗନ୍ତି ଜ୍ଞାନ ସକାଶେ, ମୂର୍ଖ କାନ୍ଦ ପ୍ରାପ୍ତ ହୁଏ ।

ସାଧୁଙ୍କ ମନ ସଂଯୋଗ ହୀନ, ଗୃହସ୍ଥ ଚିତ୍ତ ଉଦାର,

ତ୍ୟାଗ କରିଲେ ଏ ସବୁ ଗୁଣ, କ୍ଷତି ହୁଏ ଗୁରୁତର ।

ଯେମିତି ଖାଦ୍ୟ ତୁମେ ଖାଇବ, ସେମିତି ମାନସ ହେବ, 

ଯେମିତି ପାନୀୟ ତୁମେ ପିଇବ, କଥା ସେମିତି କହିବ ।

ପୁତ୍ରର ପ୍ରିୟ ପିତାର କୋଳ, ବିପଦେ ଯାଏ ସେ ଧାଇଁ, 

ମିଠେଇ ଏକ ହାତରେ ଦେଇ, ସ୍ୱୟଂ ଲୁକ୍କାୟିତ ହୋଇ ।

ତୁମେ ଭାବୁଛ ଏ ଛାର ଗୀତ, କିନ୍ତୁ ଏ ବ୍ରହ୍ମ ବିଚାର,

କହି କେବଳ ବୁଝଉ ଅଛି, ଏହା ଆତ୍ମ ଜ୍ଞାନ ସାର ।

 କହି ଯାଉଛି କହିବି ମଧ୍ୟ, ବଜେଇ ବଜେଇ ଢୋଲ,

ଶ୍ୱାସ ତୋହର ଖାଲି ଯାଉଛି, ତିନି ଲୋକରେ ଅମୁଲ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics