ସଂସାର ବନ୍ଧନ
ସଂସାର ବନ୍ଧନ
ସଂସାର ବନ୍ଧନ ବଡ ନିଦାରୁଣ
ଧିରେ ଧିରେ କରି ଚଢ଼
ସମୟ ସ୍ରୋତରେ ପାଦ ଥାପି ଦେଇ
ଧୈର୍ଯ୍ୟ ସାହାସରେ ଗଢ଼ ।
ସୁଦୀର୍ଘ ରାସ୍ତା ଲମ୍ବି ଚାଲିଥିବ
ଜନ୍ମରୁ ଯେ ମୃତ୍ୟୁ ଯାଏ
ଚାଲୁ ଚାଲୁ ବାଟ କେତେ ବାକି ଅଛି
ମନରେ ସନ୍ଦେହ ହୁଏ ।
କେତେ ପଡ଼ି କେତେ ଉଠିବାକୁ ହେବ
ସେକଥା ସମୟ ଜାଣେ
କିଏ ଆସେ କିଏ ଚାଲି ଯାଉଥାଏ
ସେ କଥା କିଏ ବା ଗଣେ ।
ସଂଘର୍ଷ ପୂର୍ଣ୍ଣ ଜୀବନ ଯାତ୍ରାରେ
ସମୟଟା ଶେଷ ହୁଏ
ଖଜୁରୀ ଗଛର ପାହାଛ ପରି ଏ
ମୂଳଠାରୁ ଶେଷ ଯାଏ ।
ଜୀବନର ପଥ ବଡହିଁ ବିଚିତ୍ର
ହରଣ ଗୁଣନ ପରି
ଜୀବନର ଅଙ୍କ କଷି ଚାଲିଥିବ
ଭାଗଫଳ ଶେଷ କରି ।
ଅସଜଡା ଏହି ମଣିଷ ଜୀବନ
ସଜାଡୁ ସଜାଡୁ ସରେ
ଆତ୍ମା ଚାଲିଯିବ ତାର ଦୁନିଆଁ କୁ
ପିଣ୍ଡ ଟା ଖାଲି ଯା ମରେ ।
ଧର୍ଯ୍ୟ ବନ୍ଧ ବାନ୍ଧି ସାହାସ କୁ ଖୁଣ୍ଟି
ମନ ବାଡ ତାର କର
ଆସିଥିଲ କାହିଁ କରୁଅଛ କିସ
ଥରଟେ ମନରେ ସ୍ମର ।
ସତ୍ୟ ଶାନ୍ତି ଦୟା କ୍ଷମା ପ୍ରେମ ବାଣ୍ଟ
ଜୀବନ ସରଳ ହେବ
ଜୀବନ ସରିବ ଜଞ୍ଜାଳ ସରିବ
ପଥ ବାକି ରହିଥିବ
ସଂସାର ଟା ରହିଥିବ ।