ସଂଖ୍ୟା ରେଖା
ସଂଖ୍ୟା ରେଖା
ଆକାଶ,
କହରେ! କି ଲାଭ ପାଉଛୁ?
ଏ ମହାନତାର ମୁକୁଟକୁ,
ଥରେ ଓହ୍ଲାଇ ଦେଖ!
ତୁ, ବି ଭୋଗିବୁ ଥାଳିଏ ଯନ୍ତ୍ରଣା।।
ସେ ବସନ୍ତର ଜହ୍ନ
ବୈଶାଖର ସୂର୍ଯ୍ୟ
ଆଉ; ବାର~ମାସର ତାରା ଏମାନଙ୍କୁ
ତୋ ଛାତିରେ ଜାବୁଡ଼ି ଧରି ବହୁତ ହେଲା
ଏ ବଡ଼ପଣର ସଭା।।
ଏଥର ତୋ କଷ୍ଟକୁ ଖୋଲି କହିଦେ!
ବାପା,
ପଚାରୁ ପଚାରୁ ତମକୁ ସେଦିନ
ମୁଁ ପଚାରିଦେଲି;
ମୋ ଜନ୍ମଦିନ ଭଳି ତମ
ଜନ୍ମଦିନ କେବେ?
ତମେ ହସିଦେଲ! ଆଉ କହିଲ ମୋର,
ସେସବୁ କ'ଣ ହେବ...?
ହେଲେ ମୁଁ ଦେଖିପାରେ ବାପା;
ଉଠାଣ ରାସ୍ତାରେ, ଆଉ ତମ ସାଇକେଲଟା'
ଆଗକୁ ମାଡ଼ିପାରେନି।
ଆଉ ମୁଁ ବୁଝିନିଏ ମୋ ଆଗକୁ ବଢ଼ୁଥିବା
ବୟସ ତମ ପଛକୁ ଗଡ଼ୁଥିବା ସାଇକେଲର ଚକ ପରି।।
ସାର୍,
ସେ; ଆକଟ ପାଇଁ
ଆଜି ଆଇନା ଆଗରେ ଆକୃତିଟିଏ
ଗଢ଼ିଉଠେ।
ଆପଣଙ୍କଠାରୁ ପାଇଥିବା
ଅବଦାନକୁ ସେଦିନ ବହୁବାର ଆଞ୍ଜୁଳାରେ
ତଉଲି ଚାଲିଲି।
ହେଲେ ମୁଁ ଦେଖେ ଜୀବନ ସାରା
ଜୀବନର ଶିକ୍ଷା ଦଉଥିବା ରଘୁ~ମାଷ୍ଟ୍ରେ
କପେ ହସ ପାଇଁ ଲୁଚି ଲୁଚି ଲୁହ ପିଇବାରେ ମାହିର।।
ମୁଁ,
ଛଳନାରେ ଛଟପଟ ହଉଥିବା
ଜୀବନ ଗୁଡ଼ା ଙ୍କୁ,
ଭାବେ ବୋଧହୁଏ ହାତଠାରି ମୋତେ
ଶୋଷେ ସାହାଯ୍ୟ ମାଗୁଛନ୍ତି।
ହେଲେ; ସିଏ ତ ଆଉ ଏକ ମଲାହାଡ଼ ର
ପଶା~କାଠି।
କାନ୍ଥ ସାରା ବିଜୁଳି ଭଳି ଫାଟ ଚିହ୍ନ।
ସମୟର ଟିକ୍~ଟିକ୍ ସ୍ୱର ତା'କୁ
ଆହୁରି ଗହୀର କରେ
ଶେଷରେ ରାତି ପାହିଯାଏ
ଆଉ ଶିଉଳି ଲଗା ବୟସରୁ
ଚାଙ୍ଗୁଡ଼ିଏ ଶେଫାଳୀ ଝରିପଡ଼େ।।
