ସନେଟ- ୪୨
ସନେଟ- ୪୨
ଦେଖାଅ ସୁପଥ
କବିସୌରଭ ଅନୁପ ସିଂହ ଦେବ
ରାଜା ଖଡ଼ିଆଳ
ପୌର୍ଣ୍ଣମାସୀ ଶଶି ମୁଖେ ନାହିଁ ହାସ୍ୟରେଖା
'କଷଣ' କୁଣିଆ ବେଶେ ଦେଇଅଛି ଦେଖା ।।
ଦୁଃଖଭରା ବାର୍ତ୍ତାଦେଇ ବିଦାରିଛି ହୃଦ
ଚୂର୍ଣ୍ଣୀଭୂତ ପ୍ରଫୁଲ୍ଲିତ ମାନସ-ପ୍ରାସାଦ ।।
ଅଶକୁନ ଲଗ୍ନେ ହୋଇ ଉଦୟ ପୂର୍ଣ୍ଣେନ୍ଦୁ
ଉଦ୍ ବେଳିତ କରିଦିଏ ମୋ ମାନସ-ସିନ୍ଧୁ ।।
ହସେ ନାହିଁ ବୃନ୍ତେ ପୁଷ୍ପ ସରେ କୁମୁଦିନୀ
ବିଷାଦ କୁହେଳି ଛାଏ ମାନସ-ମେଦିନୀ ।।
ଶିରା ପ୍ରଶିରାରେ ଖେଳି ସନ୍ତାପ ଜୁଆର
ସଙ୍କେତ ଦିଏ ଚେତସେ " ହୁଅ ହୁସିଆର " ।।
କ୍ଷମାକର ବିଶ୍ଵମ୍ଭର ତବ ପରିକରେ
ଜଡି ରହିଛି ପରାଣ କଳୁଷ-କୂପରେ ।।
ଆର୍ତ୍ତତ୍ରାଣ ! ଅବିବେକ-ତାମସ ଘୁଞ୍ଚାଅ
ପତିତ ପାନ୍ଥ ଅନୁପେ ସୁପଥ ଦେଖାଅ ।।
ସମାପ୍ତ
