ଆସ ଅବତରି
ଆସ ଅବତରି
ଆସ ଅବତରି ଆହେ ଅବତାରୀ
ଚରଣେ କରେ ଜଣାଣ
ସତ୍ଯେ ବିନାଶିଲ ହିରଣ୍ଯକଶ୍ଯପ
କରି ବକ୍ଷ ବିଦାରଣ ।
ତ୍ରେତୟା ଯୁଗରେ ରାମ ଅବତାରେ
ଦଶରଥ ସୁତ ହୋଇ
ଲଙ୍କାର ରାଜନ ବୀର ଦଶାନନ
ବଧିଲେ ଆପଣ ଯାଇ ।
ତହୁଁ ଦ୍ବାପରରେ ଗୋପ ନଗରୀରେ
ବକା,ଶକଟା,ପୁତନା
ନାଶ କରି ଅରି ଆହେ ତ୍ରିପୁରାରୀ
ଉଡାଇଲ ଯଶ ବାନା ।
ଦେଖି ତବ ରୁପ ଆତୁରେ ମାତୁଳ
ମଞ୍ଚାତଳେ ଗଲା ପ୍ରାଣ
ରାଜସୂୟ ଯଜ୍ଞେ ସୁଦର୍ଶନ ବଳେ
ଶିଶୁପାଳର ପତନ ।
କଳିଯୁଗେ ପ୍ରଭୁ ଶିରିହୀନ ସବୁ
ଥାଇ ଅନୁପମ ଶୋଭା
ଗର୍ବ, ଅହଂକାର କବଳିତ ନର
ଦୁର୍ଜନ ରୁପରେ ଉଭା ।
ଆହେ ବ୍ରହ୍ମରାଶି ତମସା ବିନାଶି
ଗର୍ବ, ଅହଂ ଦିଅ ମାରି
ତୁମ୍ଭରି ମହିମା ନାହିଁ ଯା'ର ସୀମା
ଗର୍ବ ଗଞ୍ଜନ ବିହାରି ।
ପତିତ ତାରଣ କାରଣ ହାରଣ
ଆହେ ପ୍ରଭୁ ଦଇତାରୀ
ଦିବସ ରଜନୀ ଯାଉ ମୋର ବିତି
ତୁମ ନାମ ତୁଣ୍ଡେ ଧରି ।