ସନ୍ଧି
ସନ୍ଧି
ଏବେ ଠିକ ସକାଳ ନଅଟା ତିରିଶ
ମୋ ହାତ ବ୍ୟlଗ, ମୋବାଇଲ ଓ ସ୍କୁଟି ଚାବି
ନିଜ ନିଜ ଭିତର ଏକାକୀପଣ ବାଣ୍ଟିନେଇ ସଜିଲ ହେଲେଣି
ମୋ ଯୁଦ୍ଧର ସାଥି ହେବାପାଇଁ l
ତାପରେ ଅଫିସର କମ୍ପୁଟର ପରଦାରେ
ଛାୟାପରି ଦିଶୁଥିବାକିଛି ଡିଜିଟାଲ ଚିତ୍ର
ମୋ ଦରଜ ମନର l
ତିଆରିବା ପାଇଁ ମୋ ଭିତର ମଣିଷକୁ
ହାତ ଖୋଜିଲି, ନିହାଣ ବି
ବ୍ୟକ୍ତ କରିବାକୁ ଲୋଡିଲି କ୍ୟାନଭାସ
କେବେ ଆକାଶ ର ଛାତି, ଟିକେ ଲୁହ ଝlରିବାକୁ
ଲେଖନୀ ଧରିଲି କେବେ ତୂଳୀ
ଅଥଚ ଏଜେଲରୁ ଏବେଖାଲି ନିଗିଡି ପଡୁଛି
ହୃଦୟର ରକ୍ତ ଥପ ଥପ ହୋଇ
ମଧ୍ୟାହ୍ନରେ ଅଫିସ କ୍ୟାଣ୍ଟିନରେ ଚର୍ଚ୍ଚା
କ୍ରପ ଟପ ଠାରୁ ମଦଭାଟି ଭାଙ୍ଗୁଥିବା ନଣ୍ଡା ମାର
ୟୁ ଟ୍ୟୁବ ଠାରୁ ଭାଇରଲ ଚିତ୍ର ସ୍ତୁତି ଶ୍ରାବଣୀଙ୍କ
ସବୁଠି ଥାଇ ମୁଁ କେଉଁଠି ଥାଏ ଯେ
ଇଡି ଯାଇଥାଏ ନିଜ ଭିତରୁ ନମାନି ଦୌଡିବାକୁ
ଫୁଙ୍ଗୁଳା ପାଦରେ କଣ୍ଟାଝଣ୍ଟା ଅରଣ୍ୟର ରାସ୍ତା l
ଏବେ ଠିକ ଚାରିଟା ତିରିଶ
ମୁଁ ପୁଣି ଯୁଦ୍ଧଯାତ୍ରାରେ
ସାଥିରେ ପରିବା ବ୍ୟାଗ, ଭରିନଥିବା ବିଜୁଳିବିଲ, ସ୍କୁଲ ଫି, ତମାମ ବିବଶତାର ଅନ୍ତଃ ସ୍ରୋତ
ଓ କିଛି ଦୀର୍ଘଶ୍ୱାସର ଉଷ୍ମତା
ମାନ ବl ନମାନ ଏମାନେ ସମସ୍ତେ ଲେଖୁଥାନ୍ତି
ମୋ ବିଫଳ ଗାରହ୍ୟସ୍ଥର ପୃଷ୍ଠା ପରେ ପୃଷ୍ଠା l
ଏମିତି ଲୋଚା କୋଚା ବିଶ୍ୱାସ ଓ ଆକାର ନଥିବା ଅହଂକୁ ଅସ୍ତ୍ର କରି କେତେକାଳ ଅବା ଯୁଦ୍ଧ କରିଥାନ୍ତି?
ମାଟିରେ ଘର କରି ଆକାଶ କୁ ଛୁଇଁବାର
ସ୍ବପ୍ନରେ ଡେଣା ଭାଙ୍ଗୁଥାନ୍ତି?
ସେଥିପାଇଁ ଓ଼ଲ୍ହାଇ ଆସିଲି ନିଜ ଭିତରୁ
ମୁକୁଳିଗଲି ବେସୁରା ପବନ ପରି,
ଫିଟିପଡ଼ିଲି ପାହାଡ ମଥାନର ନଈ ପରି
ଫୁଟିଗଲି ପଥର ସନ୍ଧିର ଫୁଲ ପରି
ଏବେମୋର ହାରିବା ହରାଇବା ସବୁ ଏକାକାର
ଭୁଲିଗଲି ମୁଁ କେବେ ଚାହିଁଥିଲି ଦୁଇପଦ ମାଟିରେ ଗଢିବାକୁ
ଗୋଟେ ସୁଖର ପୃଥିବୀ l