ମଣୀହରା
ମଣୀହରା
ଢେରଲେଖା ହେଲାଣି କବିତା
ଅଧାଦେଖା ସ୍ବପ୍ନ, ମୀନାକରା ଜହ୍ନ
ଶବ୍ଦରେ ଗୁନ୍ଥି ଭାବର ଗଜରା
ଢେର ସଜାଇଲଣି ସ୍ବପ୍ନ ନାୟିକାର ଗଭା
ଦେହ ଦାହର କଥା ରେ ଭରିଲଣି
ପୃଷ୍ଠା ପରେ ପୃଷ୍ଠା |
ଏବେ ତ ଫେରିଚାହଁ କବି
ମୋ ଦେହର ଗୋଟେପାଖ ଜଳୁଛି
ହୁତ ହୁତ ହୋଇ ଘୃଣା ଓ ଦ୍ୱେଷରେ
ଆରପାଖେ ବହୁଛି ପ୍ରତିଶୋଧ ର
ଏକ କୁଳ ଲଂଘୁଥିବା ନଈ
ରାଜନୀତି ର ପଶାପାଲି ରେ ଗଡୁଛି ମୁଣ୍ଡ
ନିଶା,ପେଶା ଜାତିଆଣ ର ଗୋଟି
ଗୋଟି ଗୋଟି ହୋଇ l
ଦିନ ର ଆଲୁଅ ରେ ଯେଉଁଦିନ
ନଗ୍ନ ହେଲା ମଣିଷ ପଣିଆ
କାହିଁ ଫାଟିଗଲାନି ତ ଆକାଶ ସେଦିନ
ଭାଗ ହେଲାନାହିଁ ଧରିତ୍ରୀ ଦୁଇଫlଳ.ହୋଇ
ଅନ୍ଧ ହେଲାନି ଆଖି ନଂପୁସକ ଙ୍କର
ସଭିଙ୍କ ନୀରବତା ସେଦିନ ଲେଖିଲା
ନିର୍ଲଜତା ର ଏକ ନୂଆ ଇତିହାସ l
ଯେଉଁଠି କେବେ ଥିଲା ନୀଳ ପାଣି ହ୍ରଦ
ଶୁଭୁଥିଲା ଅର୍କିଡ଼ ର ଖିଲଖିଲ ହସ
ସଞ୍ଜ ଆସୁଥିଲା ଗ୍ରାମ୍ୟ ଲଳନା ଙ୍କ ହରିଣୀ ଆଖିରେ
ପାହାଡ ବି ଗାଉଥିଲା ପବନ ରେ ଗୀତ l
ଆଜିସେଇ ଅମରlବତୀ ଜଳୁଛି
କିଟକିଟ ଅମା ଅନ୍ଧାର ରେ,
ବିଷାଦ ର କଳା ଜହ୍ନ ହସୁଛି ବେଫିକର
ଛଞ୍ଚାଣ ର ନଖ ରେ ବିଦୀର୍ଣ୍ଣ ହେଉଛି
ସୁନାରଙ୍ଗୀ ଚଢେଇ ର ଦେହ
ପବନ ରେ ଶୁଭୁଛି ଘୃଣା ର ଅଗ୍ନିବର୍ଷୀ ଗୀତ |
ଆସ କବି!
ଆଉକେଉଁ ପ୍ରଳୟ ର ପ୍ରତୀକ୍ଷା ରେ ତୁମେ?
ଦେଖ ମୋ ଦେହର ମଣୀ ନାହିଁ
ଜଳୁଛି ଲଜ୍ୟା ଅପମାନ ରେ ମୁଁ
ମଣୀହରା ହୋଇ,
ଅସହାୟତା ର ସୀମାରେଖା ସେପାଖେ
ନିପାରିଲା ପଣରେ ହେଉପଛେ
ଛାତି ଦେଇ ନିଗାଡ଼ିବ ଦୁଇବିନ୍ଦୁ ସ୍ୟାହି
ଶୁଣିଛି ତୁମେ କଲମ ଛୁଆଁ ରେ
ପଥର କୁ ପାଲଟାଇ ପାର ପଦ୍ମ
ଘୃଣା ର ଗରଳ କୁ ମିଠା କାଦମ୍ବରୀ |
