ସଂଚିତ ପୂଣ୍ୟ
ସଂଚିତ ପୂଣ୍ୟ
ମୋ ପାପର ହିସାବ,
ସରିନି ଏଯାଏ
ତଥାପି
ମୁଁ ମୋର ସଞ୍ଚିତ ପୂଣ୍ୟର ଫଳ
କାହା କାହାକୁ ବାଣ୍ଟିବି
ନିତି ନିତି ହିସାବ ଯୋଡୁଛି ।
ପାପର ଘଡା ପୁରିକି ଉଛୁଳି ଗଲାଣି
ତଥାପି
ଅପ୍ରାପ୍ତ ଆଞ୍ଜୁଳାଏ ପୂଣ୍ୟ
ମୋ ମଥାରେ ବିଜୟର ତିଳକ
ଲଗାଇ ଦେଉଛି ।
କିଏ ଦେଖିଛି,
ରାତି ଅନ୍ଧାରରେ କରିଥିବା
ମୋ ପାପମାନଙ୍କୁ l
କିଏ ଦେଖିଛି,
ସବୁରି ଦୃଷ୍ଟି ଆଢୁଆଳେ
ମୋର ପ୍ରପଞ୍ଚ ସବୁକୁ l
ମୁଁ ଯାହା କହିଦେଲି,
ସରବେ ସହଜେ ବିଶ୍ୱାସ କଲେ
ଯାହା ଦେଖାଇଲି
ଆଖିବୁଜି ସବୁ ବୁଝିଗଲେ,
କେବଳ
ଯାଦୁକର ଯାଦୁଦେଖି
ମରିଚିକାରେ ତୃଷା ମେଣ୍ଟାଇଲେ ।
ସନ୍ତୁଷ୍ଟ ନିର୍ବୋଧ ଜନତା
ଆନନ୍ଦରେ ହର୍ଷଧ୍ୱନୀ କରେ
ମାଳା ପିନ୍ଧାଇ ଜୟଗାନ କରେ ।
ଗଗନ ପବନ ଉଦଘୋଷିତ କରିଯାଏ
ଯେତେ ମୋର ବାହ୍ୟ ଆଡମ୍ବର
ମିଥ୍ୟାର ଘଡାରେ ମୋର
ସତ୍ୟର ଚାଦର ଘୋଡାଇ ଦିଏ ।
ଯାଦୁକର ଇନ୍ଦ୍ରଜାଲର
ଚାକଚକ୍ୟ ଦେଖି
ସମସ୍ତେ ଜଳକା ଏଇଠି
କେବଳ
ଶୁଣିବା କଥାରେ
ଆଖି ବନ୍ଦକରି ପରତେ ଯାଆନ୍ତି,
କାହା ଅଣ୍ଟିରେ
କେତେ କାର୍ଷାପଣ ଗଲା
କିଏବା ଗଣିଛି ?
ଦୁନିଆର ସତ କଣ,
ସତ ମିଛ କିଏ ପରଖୁଛି ।
ପ୍ରଚାରସର୍ବସ୍ୱ ଯୁଗରେ
ଚାଟୁକାର ସ୍ତବଗାନେ ନ୍ୟସ୍ତ
ପ୍ରଚାରକ ପ୍ରଚାରରେ ବ୍ୟସ୍ତ
ଅନ୍ଧଭକ୍ତ ଉନ୍ମତ୍ତ କୀର୍ତ୍ତନରେ ଆତ୍ମହରା
ସତ କଣ, ମିଛ କଣ
କିଏବା ଜାଣୁଛି,
ସତ ମିଛ ପରଖିବା ପାରିଖି ନଜର
ଆଜି କହ କାହା ପାଖେ ଅଛି ?
