ସ୍ନାନ ମଣ୍ଡପରେ
ସ୍ନାନ ମଣ୍ଡପରେ
ସ୍ନାନ ମଣ୍ଡପରେ ସ୍ନାହାନ ପୁନେଇଁ
ସ୍ନାନ କରେ ଜଗା ଭାଇ ଭଗ୍ନୀ ନେଇ ।
ରତନ ବେଦୀରୁ ଭକତ ବନ୍ଧୁ
ସ୍ନାନ ବେଦୀ ଆସେ ସେ ଭାବ ସିନ୍ଧୁ ।
ସିନ୍ଧୁ ସୁତାଙ୍କର ବିରଷ ମନ
ଛାଡ଼ି ଯିବେ ତାଙ୍କୁ କଳାବଦନ ।
ମଦନମୋହନ ଚାଲିରେ ଝୁଲି
ସ୍ନାନ ମଣ୍ଡପକୁ ଯିବେ ସେ ଚାଲି ।
ଭାଇ ଭଗ୍ନୀ ସଙ୍ଗେ କଳା ଗୋସେଇଁ
ଲୀଳା ଲଗାଇବେ ସେ ଭାବଗ୍ରାହୀ ।
ମନ ତ ତାଙ୍କର ଚଳଚଞ୍ଚଳ
ଭକ୍ତଙ୍କୁ ଦେଖିବେ ଭାବ ବତ୍ସଳ ।
ବିରଳ ବେଶକୁ ଦେଖିବା ପାଇଁ
କେରଳୁ ଆସୁଛି ମୌସୁମୀ ଧାଇଁ ।
କେତେ ଗାଡ଼ିଘୋଡା ଜନ ଗହଳି
ବଡଦାଣ୍ଡ ପଡୁଥିବ ଉଛୁଳି ।
ଶତ ଅଷ୍ଟୋତ୍ତର ଜଳ କଳସ
ଢ଼ାଳି ହେବେ ପ୍ରଭୁ ସେ ପୀତବାସ ।
ଗହଳି ଲାଗିବ ଶିରୀକ୍ଷେତର
ଦେଖିଯାଅ ଆସି ଥରେ ମାତର ।
ସ୍ନାନ ମଣ୍ଡପରେ ସ୍ନାନ ପୁନେଇଁ
ବର୍ଷକେ ଥରେ ବିଜେ କଳା କହ୍ନେଇ ।
ଏଦିନ ଛାଡିଲେ ମିଳିବ ନାହିଁ
ଭକତି ଜଳରେ ପଡ ଗାଧୋଇ ।
ଗଜାନନ ବେଶେ କଳାଗୋସାଇଁ
ଦେଖି ପାପ ପଙ୍କ ଦେବହେ ଧୋଇ ।
ଭାଇ ଭଗ୍ନୀ ସଙ୍ଗେ କଳମାଧବ
ଭାବନାରେ ରଚେ ଭକ୍ତି ତରଙ୍ଗ ।
ରଙ୍ଗ ଅଧରରେ ଫୁଟାଇ ହସ
ନାନା ବେଶେ ମୋହେ ଏ ସାରା ବିଶ୍ୱ ।
ଦୟା ଓ କରୁଣା ଭଣ୍ଡାର ଧରି
ଭବ ସାଗରରେ ବାହୁଛି ତରୀ ।
ତରି ଯିବାପାଇଁ ନାମକୁ ଧ୍ୟାୟୀ
ତନ ମନେ ଡାକ କଳା ଗୋସାଇଁ ।
ରଚନା ସଂରଚନା ଅତୁଳନୀୟ
ମାନବୀୟ ଲୀଳା ଅବର୍ଣ୍ଣନୀୟ ।
କିଞ୍ଚିତ ଭାବରେ ଦେଲି ଆଭାସ
ବଞ୍ଚିତ କର ପ୍ରଭୁ ଥିଲେ ମୋ ଦୋଷ ।
ସଞ୍ଚିତ ପୁଣ୍ୟଫଳ କିଛି ମୋ ନାହିଁ
ଲାଞ୍ଛିତ ବିପ୍ର ଡାକେ କଳା ଗୋସାଇଁ ।
