ସମୟର ଝଡ
ସମୟର ଝଡ
ଆସିଥିଲ ଦିନେ ଜୀବନ ଇଲାକାକୁ,
ଫଗୁଣ ସମ୍ଭାର ନେଇ ।
ପୁଣି କଣ ହେଲା, ମୁହଁ କାହିଁ କୁହ,
ନିଜେ ନେଲ ତ ଫେରାଇ ।।
ବିନା ନିମନ୍ତ୍ରଣେ, ଆସି ମୋ ଦୁଆରେ,
ହେଲ ମୋ ମନ ଅତିଥି ।
ଅମବାସ୍ୟା ରାତ୍ରେ ଅନୁଭବ ହେଲା,
ପୂର୍ଣ୍ଣମୀ ରାତିର ତିଥି ।।
ଯେପରି ଅବାଧେ ଆସିଥିଲ,
ସେପରି ଅବାଧେ ତ ଗଲ ଚାଲି ।
ଦେଇଥିଲେ ଅବା ସୁଚନା କିଛି,
ଅନୁରୋଧେ ପଥ ରୋଧ କରିଥାନ୍ତି ।।
ଜୀବନ ନଉକା ଭାଷି ଯାଉଅଛି,
ଏବେ ଦେଖ ଲୁହ ନଦୀର ସ୍ରୋତେ ।
ତୁମ ସ୍ମୃତିରେ, ନିଜକୁ ହଜାଇ ଖୋଜୁଛି
ନିଜକୁ ନିଶିଦିନ ଅବିରତେ ।।
ସ୍ଵପ୍ନର ବାଲିଘର, ସମୟର ଝଡ
ନେଲା ଉଡାଇ ତ ବହୁ ଦୂରେ ।
ବାଲିର ଛିଟିକା ଏ ଆଖିରେ ପଡିଯାଇ
ରଗଡାଇ ଲୁହ ଢାଳେ ।।
ଆପଣାର ଭାବି ବିଶ୍ବାସର ବିଷ,
ନିଜେ ନିଜେ ପାନ କଲି ।
ଆପଣା ହସ୍ତରେ ଆପଣାର ଜିହ୍ଵା ଛେଦିବାର,
ଯନ୍ତ୍ରଣା ସବୁ ନେଲି ।।
ଅଜଣା ଫୁଲକୁ ପାରିଜାତ ଭାବି,
ତୋଳିବାରୁ ହାତେ ଗଲା କଣ୍ଟା ଗଳି ।
ଆକାଶ କୁସୁମକୁ ଫୁଲଦାନିରେ ସଜେଇବାର,
ଇଚ୍ଛା ଗଲା ତ ମଉଳି ।।
ତୁମ ଚଲା ପଥ ଆଲୋକିତ ପାଇଁ,
ମୋ ନିଜକୁ ଦୀପ କଲି ।
ନିଜେ କିନ୍ତୁ ଅନ୍ଧାର ଭିତରେ,
ଅଣ୍ଡାଳି ଅଣ୍ଡାଳି ପାଦେ ପାରୁ ନାହିଁ ଚାଲି ।।
ଏ ମନ ସେ ମନ ଭିତର ଦୁରତା ମାପିବାକୁ,
ଏ ଯାଏ ଯନ୍ତ୍ର ସୃଷ୍ଟି ହୋଇ ନାହିଁ ।
ତେଣୁ ଲୁହ ନଈର ଦୈର୍ଘତାରେ,
ଆଶ୍ରୟ ନେବାକୁ, ବାଧ୍ୟ ହେଉଛି ମୁହିଁ ।।
ଏବେ ଆଉ କିଛି ନାହିଁ ବାକି ,
ଭାବିବା, କହିବା, ଶୁଣିବା ପାଇଁ ।
ଯେଉଁ ଠାରେ ରୁହ ଭଲରେ ରୁହ,
ମୋର ଆଶୀର୍ବାଦ ସାଥେ ନେଇ ।।
ମୋର ଏ ଅସହାୟ ବାର୍ତ୍ତାକୁ,
ପାଦେ ନିର୍ବିଘ୍ନରେ ଦେଇପାର ତୁମେ ଦଳି ।
ପ୍ରତିବାଦ କରିବାର, ଅଧିକାରର ସାବ୍ୟସ୍ତ,
କେବେଠାରୁ ଯାଇଛି ତ ସରି ।।
ଶାନ୍ତିଲତା ମିଶ୍ର, ରଚେଷ୍ଟର, ମିନେସୋଟା