ସମୟ ଚକରେ ସଂସାର ରଥ
ସମୟ ଚକରେ ସଂସାର ରଥ
ସମୟ ଚକରେ ସଂସାର ରଥରେ
ସାରଥୀ ସଜେଇ ଦେଇ
ଜଗତର ନାଥ ଆହେ ଜଗନ୍ନାଥ
ବସିଛ ନୀରବ ହୋଇ ।
କେବେ ସେ ରଥରେ ଦୁଃଖ ବୋହି ବୋହି
ଆଖିରୁ ଝରୁଛି ଲୁହ
କେବେ ଯନ୍ତ୍ରଣାରେ ଅଟକେ ସେ ଚକ
ଛାତିରୁ ଉଠଇ କୋହ ।
କେବେ ଏ ଶରୀର ଅବଶ ହୁଅଇ
ଅବଶ ହୁଅଇ ମନ
ଇଚ୍ଛା ହୁଏନାହିଁ ରଥ ଟାଣିବାକୁ
ଆହା ମୋ କାଳିଆ ଧନ ।
ଆଶା ଓ ଭରସା ସବୁ ତୁଟିଯାଏ
ବୈରାଗେ ଭରଇ ମନ
ସଂସାର ଛାଡି ମୁଁ ତୋ ଛନ୍ଦା ଚରଣେ
କରନ୍ତି ବସି ଭଜନ ।
ତୋ ନାମ ଜପିଲେ ତୋ ନାମ ଭଜିଲେ
ରଥ ଯିବ ଆପେ ଗଡି
ତୋର ହାତେ ଥିବ ରଥର ଦଉଡି
ଧରିଥିବୁ ତୁହି ଭିଡି ।
