ସମୟ ବଡ଼ ନିଷ୍ଠୁର
ସମୟ ବଡ଼ ନିଷ୍ଠୁର
ଆସିଗଲା ଜୀବନରେ ବଡ଼ ଦୁର୍ଦ୍ଦିନ ସମୟ
ଯେଉଁଠି ଜୀବନଟା ହୁଏ ଜୀବନ୍ତ ମରଣ
ଗୃହବନ୍ଦୀରେ କେହି କାହାକୁ ଦେଖି ପାରେନା କି
ନିଜ ଲୋକର ଶବକୁ ନିଜ କାନ୍ଧେ ନିଏନା ।
ସମୟଟା ବଡ଼ କ୍ରୁର ଆଉ ନିଷ୍ଠୁର
ବୋଝ ଉପରେ ବୋଝ ଦେଇ, ଦିଏ ସେ ନିଦା ପାହାର
ଭାରାକ୍ରାନ୍ତ ମନ ମଧ୍ୟେ ଆସିଯାଏ ଲୁହ ଲହୁ ଅସାର
ତଥାପି ଦବାନି ଦୋଷ ବରଂ ଏସବୁ ବିଧାତା ବିଚାର ।
ମୁଠେ ଦାନାପାଇଁ ଜୀବନଟା ହୁଏ ଡହଳ ବିକଳ
ସବୁ ଶୂନଶାନ ଭିତରେ ହଜିଯାଇଛି କୋଳାହଳ
ଗରିବ, ଶ୍ରମିକ, ଖଟିଖିଆ ଦୀନ ମଜୁରିଆଙ୍କର
କାନ୍ଦୁକାନ୍ଦୁ ଦିନଯାଏ ରୋଜଗାର ନାହିଁ ତାଙ୍କର ।
ମଧ୍ୟବିତ୍ତଙ୍କ ସୁଖ ଦୁଃଖକୁ କିଏ ବା ପଚାରେ ?
ବ୍ୟର୍ଥ ଜୀବନ ନୟନ ଲୋତକକୁ ପିଇଯାଏ ଓଠରେ
ବୁକୁତଳେ ଅଛି ତା'ର କେତେ କ୍ଷତାକ୍ତ ଗଭୀର ବ୍ୟଥା
କହିବ ବା କା ଆଗେ, କିଏ ସାଉଁଳେଇ ଦବ ତା ମଥା ।
ରଖେ ହରି ମାରେ କିଏ, ମାରେ ହରି ରଖେ କିଏ ?
ଦୟା, କ୍ଷମା, ଆଶୀର୍ବାଦ ଆଉ ତାଙ୍କର ସଂହାର
ତଥାପି ମଣିଷ ଅସୁମାରି ଆଶା ରଖି ଚାଲେ ବହୁଦୂର
କରି କରାଉ ଥାଏ ସେହି ଜାଣନ୍ତି ସଚରାଚର ।
ସାମ୍ପ୍ରତିକ ସମୟେ ଜୀବନର ମାନେ ନାହିଁ କିଛି
ସବୁଥାଇ ବି ବଞ୍ଚିବାର ମୋହ କିଛି ନାହିଁ ଏଠି
ଦଳିତ, ଅବହେଳିତ, ଲାଂଛିତମୟ ଜୀବନେ
ମୃତ୍ୟୁ ଆସି ଉପନୀତ ଅନ୍ତିମ ସୋପାନେ ।