ସମୁଦ୍ରର ଆରପାଖେ
ସମୁଦ୍ରର ଆରପାଖେ
ଆସ ନେଇଯିବି ତୁମକୁ
ସମୁଦ୍ରର ଆରପାଖ ଆକାଶର ନୀଳ ବଗିଚାକୁ
ଭୂମି ଓ ଆକାଶର ଦ୍ଵନ୍ଦଠାରୁ ଦୁରେଇ ନେବି
ସେଇ କୁହୁଡ଼ିର ମାୟାଜାଲର ପ୍ରାଚୀର ସେପାଖକୁ
ଯେଉଁଠି ନଥିବ ବେଳାଭୂମିର ଦାମ୍ଭିକତା
ନା ଆକାଶର ନୀରବତା
ବାସ୍ ଥିବ ନିଜକୁ ବସ୍ତାରି ଦେବାର ପୁର୍ଣ୍ଣ ସ୍ବାଧୀନତା
ଓ ନୀଳ ହୋଇଯିବାର ଏକ ଧୀର ଗାମ୍ଭିର୍ଯ୍ୟତା।
କେତେ ଦିନ ଆଉ ପିଟୁଥିବ ମଥା
ଏମିତି ମୋ ଶୁନ୍ୟ ବାଲିଶେଯ ପରେ
ନା ମୁଁ ତୁମ ସହ ମିଶି ପାରିବି ଦ୍ରବିଭୂତ ହୋଇ
>ନା ତୁମ ସ୍ଥିର ଆଲିଙ୍ଗନରେ ମାରି ପାରିବି ହାଇ
ତୁମ ଆଶା ଓ ମୋ ଉଦାସୀନତାର ସଂଘର୍ଷରେ
ଏମିତି ସୃଷ୍ଟି ହେଉଥିବ ପାଣିଫୋଟକା ସଦୃଶ
ଅସଂଖ୍ୟ ଭୁଲା ଅଭୁଲା ସ୍ମୃତି ଛିଟା ମାନ।
ଚାଲ ଏ ଚୁଗୁଲିଆ ଭିଡ଼ ଭିତରୁ
ଚାଲିଯିବା ଢେର ଦୂରକୁ, ଅନେକ ଦୂରକୁ
ସମସ୍ତଙ୍କର ଅଜାଣତେ ଓ ଅଲକ୍ଷରେ
ଯେଉଁଠି ନା ଥିବ କେଉଁ ଆଲିଙ୍ଗନର ସଂକୋଚ
ନା ଆମ ଅନ୍ତରଙ୍ଗ ମୁହୂର୍ତ୍ତରେ ବାଧା କି ବିତ୍ପାତ
ବାସ୍ ଥିବ କେବଳ ଅନ୍ତଃହୀନ ପ୍ରେମର ନୀଳ ଫଲ୍ଗୁ ଧାରା
ଓ ଏକ ହୋଇଯିବାର ଏକ ସ୍ଥିର ଅନ୍ତଃସଲୀଳା।