ସମୁଦ୍ର
ସମୁଦ୍ର
ଅନ୍ତର ମୋ ସୀମାହୀନ
ଅଶାନ୍ତ ମୁଁ ବିକ୍ଷୁବ୍ଧ ସମୁଦ୍ର,
ମଥାପିଟେ ବେଳାବୁକେ ମୂର୍ହୁମୂର୍ହୁ
ଅବ୍ୟକ୍ତ ମୋ ଉଦବେଳ,
ଗଢୁଥାଏ ଭାଙ୍ଗୁଥାଏ
ଜଳୁ ଥାଏ ଜଉଘର ଯଉବନ ମଧୁବନ
ସ୍ୱପ୍ନ ବାଲିଘର ।
ଜାଣିନାହିଁ ଚିହ୍ନି ନାହିଁ ତଟରେଖା ସୀମା
ବେଳାବୁକେ ଇତସ୍ତତଃ ବାଲୁକଣ ବିକ୍ଷିପ୍ତ,
ବୁଝି ନାହିଁ କାହିଁକି ମୋ ହୃଦୟରେ
ଭରିଅଛି ଲବଣତା ବିଶେଷ,
ଯୁଗ ଯୁଗ କାହିଁକି ମୁଁ ଉତ୍ତାଳ ଓ ଉତକ୍ଷିପ୍ତ ।
ସାଇତି ରଖିଛି ବକ୍ଷେ ଭଣ୍ଡାର ପ୍ରବାଳ ରତ୍ନ
ଶାମୁକାର ଗରଭରେ ବହୁମୂଲ୍ୟ ମୁକ୍ତା,
ଜାଣି ନାହିଁ ବୁଝି ନାହିଁ ଘନଘୋର ମନ୍ଥନରୁ
କେବେ ଜାତ ହେବେ ଲକ୍ଷ୍ମୀ
ଶ୍ରୀ ସମ୍ପଦ ଯୁକ୍ତା ।
ହୋଇଯାଉ ଯେତେ ଯାହା ପ୍ରକୃତିସ୍ଥ ଅଛି ମୁହିଁ
ଲଙ୍ଘିବାକୁ ଚାହେଁ ନାହିଁ ମୋ ଆତ୍ମମର୍ଯ୍ୟାଦା,
ସନ୍ତୁଷ୍ଟ ଆତ୍ମନିର୍ଭର ଯଥେଷ୍ଟ ଅଟଇ ମୁଁ
ମୃଦୁ ମଧୁ ଶତଧାରେ ପ୍ରବାହିତ
ମୋ ଅଳକାନନ୍ଦା ।
ପରିପୂର୍ଣ୍ଣ ସବୁକିଛି ଥାଇ ବି ମୁଁ
ଅହର୍ନିଶି ଖୋଜୁଥାଏ ଶେଷ ନିର୍ବିଶେଷ,
ଜାଳି ପୋଡ଼ି ନିଜକୁ କିରଣେ
ଥାଏ ମୁଁ ତପସ୍ୟାରତ
ଖୋଜିବୁଲେ ଚର୍ତୁଦିଗେ ନିର୍ବାଣ ବା
ସବିଶେଷ ମୋକ୍ଷ ।
ପ୍ରତ୍ୟାବର୍ତ୍ତୀ ଜୀବନର ଗତି
ଘନୀଭୂତ ହୁଏ ପୁଣି ଜୀବ ଅବଶେଷ
ବରଷଇ ବାରିଧାରା ଅମୃତ ନିର୍ଯାସ,
ମରୂସ୍ଥଳେ ରାଶି ରାଶି ହୃଦେ ସବୁଜିମା
ସ୍ୱସ୍ତିକ ରେ ଜୀବନର ହୁଅଇ ବିକାଶ ।
କୁହୁ କୁହୁ କୋକିଳର ଗୁଞ୍ଜେ ମଧୁସ୍ୱନ
ବିମଳ ପ୍ରଭାତେ ଝରେ ସ୍ୱର୍ଣ୍ଣାଭ କିରଣ,
ମଧୁର ଏ କୃଷ୍ଣ ତତ୍ତ୍ଵ ପ୍ରଣବ ଉନ୍ମେଷ
ସୁନ୍ଦର ଉପସଂହାର ଅଟେ ସତ୍ୟଶିବ
ସୃଜନ ପାଳନ ।
