ସ୍ମୃତିରେ... ସ୍ମୃତିରେ !
ସ୍ମୃତିରେ... ସ୍ମୃତିରେ !
ସ୍ମୃତି ତୁମେ ମୋର
ବିଦଗ୍ଧ ପ୍ରାଣର
ସ୍ନିଗ୍ଧ ଶୀତଳ ପରଶ
ପୁଣି କେବେ ତୁମେ
ଅନୁଶୋଚନାର
ଶାନ୍ତିଭରା ସ୍ନେହାଶିଷ।
ଦଗ୍ଧ ହୃଦୟର
ନିଗିଡା କୋହର
ଯନ୍ତ୍ରଣାର ଅଭିବ୍ୟକ୍ତି
ହଜିଲା ଦିନର
ମଧୁର ମୁହୂର୍ତ୍ତ
ପ୍ରୀତିଭରା ଅନୁରକ୍ତି।
କେବେ ଅଭିମାନୀ
ଛଳ ଛଳ ବନ୍ୟା
ପୂର୍ଣ୍ଣତୋୟା ଗଙ୍ଗାଜଳ
ଅନୁରାଗ ଭିଜା
ଆବେଗରେ ସଜା
ମମତାରେ ସୁଶୀତଳ।
ସ୍ମୃତି ତୁମେ ମୋର
ହୃଦୟ ଦେଉଳେ
ଅଖଣ୍ଡ ଅମ୍ଲାନ ଜ୍ୟୋତି
ଆଲୋକିତ ପ୍ରାଣ
ହୁଏ ପ୍ରତିକ୍ଷଣ
ସମ୍ପର୍କ ସମୟ ସ୍ଥିତି।
ଭରିଦିଅ ବାସ୍ନା
ଅହେତୁକ ତୃଷ୍ଣା
ପ୍ରଶ୍ୱାସରେ ପ୍ରବାହିତ
ଜୀବନ ଡୋରୀରେ
ପବିତ୍ର ବନ୍ଧନ
ପ୍ରାଣ ହୁଏ ଆହ୍ଲାଦିତ।
